ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ l ଏହା ପୂର୍ବରୁ ଦେଶ ଆଜି ପାଳୁଛି ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନକୁ ଏହାରି ଭିତରେ ୯ ବର୍ଷ ପୂରି ଯାଇଛି l ଏହି ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭ ହୋଇଥିଲା l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ, ସ୍ୱଚ୍ଛତା ପାଇଁ ଆଜି ୧ ଘଣ୍ଟା ସାମୂହିକ ଶ୍ରମଦାନ କରୁଛନ୍ତି ସାଧାରଣ ଜନତା । ଦିନ ୧୦ଟାରୁ ୧୧ଟା ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ଆଜି ଅର୍ଥାତ୍ ୧୦ଟାରୁ ୧୧ଟା ଘଣ୍ଟାଏ ପାଇଁ ଅନେକ ସ୍ଥାନରେ ଅନେକ ଲୋକ ସମୟ ବାହାର କରି ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସାଧାରଣ ସ୍ଥାନ ସଫା କରିବାରେ ଯୋଗଦାନ କରିଛନ୍ତି l ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ହେବ ବୋଲି ମୋଦି କହିଛନ୍ତି l