ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ମୁଲ୍ୟବାନ୍ ହୀରା କୋହିନୂର। ଏହା ଯେତିକି ଆକର୍ଷଣୀୟ ସେତିକି ରହସ୍ୟଜନକ। କୋହିନୂରର ଅର୍ଥ ‘କିରଣ ବା ଆଲୋକର ପାହାଡ’। ଏହି ହୀରାକୁ ପାଇବାପାଇଁ ବ୍ରିଟିସରଙ୍କଠୁ ଆରମ୍ଭ କରି ମୋଗଲ ଶାସକଙ୍କ ମଧ୍ୟରେ କେତେ ଛକା ପଞ୍ଝା ହୋଇଛି ତାହା କେବଳ ଇତିହାସରେ ଲିପିବଦ୍ଧ ହୋଇଛି। କୁହାଯାଏ ଏହି ହୀରା ପଛରେ ଅଲୌକିକ କହାଣୀ ଲୁଚିରହିଛି। ଖାସ୍ ସେଥିପାଇଁ ଏହି ହୀରାକୁ ଲୋଭ କରି କେତେ ରାଜବଂଶ ବର୍ବାଦ ହୋଇଛି। କୋହିନୂର କଳଙ୍କିତ ଇତିହାସ ଖୁବ୍ କମ୍ ଲୋକ ଜାଣନ୍ତି।
ଭାରତର ଗୋଲକୋଣ୍ଡା ଅଞ୍ଚଳ ହେଉଛି କୋହିନୂର ହୀରା ମିଳିଥିବା ପ୍ରଥମ ସ୍ଥାନ। କାକତୀୟ ରାଜବଂଶ ଅମଳରେ କୋଲ୍ଲୁର କୋଇଲା ଖଣି (ବିଶେଷତଃ ରାୟଲସୀମା ହୀରାଖଣି) ଖନନ ସମୟରେ ଏହା ମିଳିଥିଲା। ସେ ସମୟରେ ଏହା ଗୋଟିଏ ରାଜବଂଶରୁ ଆଉ ଗୋଟିଏ ରାଜବଂଶ ହାତକୁ ଯିବାରେ ଲାଗିଥିଲା। ପ୍ରଥମେ ଏହାକୁ ସ୍ୟମନ୍ତକ ମଣି ବୋଲି କୁହାଯାଉଥିଲା, ଯାହାର ଅର୍ଥ ହୀରାମାନଙ୍କ ରାଜା। ଯେତେବେଳେ ପାରସ୍ୟ ରାଜା ନାଦିର ଶାହ ୧୭୩୯ରେ ଭାରତ ଆକ୍ରମଣ କଲେ ସେ ଏହାକୁ ‘ଆଲୋକର ପାହାଡ଼’ ବୋଲି ନାମକରଣ କରିଥିଲେ। ସେତେବେଳେ ଏହାକୁ ସାମ୍ରାଜ୍ୟର ଶକ୍ତିର ପ୍ରତୀକ ଭାବେ ବିଚାର କରାଯାଉଥିଲା। କୁହାଯାଏ- ଏହି ହୀରା ଯାହା ପାଖରେ ରହିବ ସେ ବିଶ୍ବ ଉପରେ ପ୍ରଭୁତ୍ବ ବିସ୍ତାର କରିବ, କିନ୍ତୁ ଏହାର ସମସ୍ତ ଦୁର୍ଭାଗ୍ୟକୁ ବି ଜାଣିବ।
୮୪୯ ମସିହାରେ ଇଂରେଜ-ଶିଖ୍ ଯୁଦ୍ଧ ସମୟରେ ବ୍ରିଟିଶ ସେନା ରାଜା ରଣଜିତ ସିଂହଙ୍କ ପୁତ୍ର ଦୁଲଦୀପ ସିଂହଙ୍କୁ ପରାସ୍ତ କଲେ। ୧୧ ବର୍ଷୀୟ ଦୁଲଦୀପ ସିଂହ ସେତେବେଳେ ବାଧ୍ୟ ହୋଇ ଶିଖ୍ ସାମ୍ରାଜ୍ୟ ସହ କୋହିନୂର ହୀରାକୁ ଇଂରେଜଙ୍କୁ ଅର୍ପଣ କଲେ। ଡ. ଲଗିନ ଦୁଲଦୀପଙ୍କୁ ଖ୍ରୀଷ୍ଟିଆନ ହେବାକୁ ପ୍ରବର୍ତ୍ତାଇଲେ। ପିଟର ବାନ୍ସଙ୍କ ମତରେ ଲୋକେ ଯାହା ବିଶ୍ବାସ କରୁଛନ୍ତି, ସତ୍ୟ କିନ୍ତୁ ସେଇଆ ନୁହେଁ। ଦୁଲଦୀପ ୧୧ ବର୍ଷର ବାଳକ ଥିବା ବେଳେ ତତ୍କାଳୀନ ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସି ଶିଖ୍ ରାଜକୋଷରୁ କୋହିନୂର ହୀରାକୁ ନେଇଯାଇଥିଲେ। ୧୮୫୪ରେ କୁଲଦୀପ ସିଂହ ଯେତେବେଳେ ରାଣୀ ଭିକ୍ଟୋରିଆଙ୍କୁ ଭେଟିଲେ ସେତେବେଳେ ସେ କୋହିନୂର ହୀରାକୁ ଦେଖିବାର ଇଚ୍ଛା ପ୍ରକାଶ କରିଥିଲେ। ରାଣୀଙ୍କ ଆଦେଶରେ ହୀରାକୁ ବ୍ରିଟିଶ ରତ୍ନଭଣ୍ଡାରରୁ ଅଣାଗଲା। ଦୁଲଦୀପ ହୀରାକୁ ଜାବୁଡ଼ି ଧରିଲେ ଏବଂ ଝରକା ପାଖକୁ ନେଲେ। ଯେତେବେଳେ ହୀରାଟି ଆଲୋକରେ ଝଲସି ଉଠିଲା ସେ ହାତ ଟେକି କହିଲେ, ରାଣୀମା ଏହା ‘କୋହିନୂର ହୀରା’। ସେତେବେଳେ ଦୁଲଦୀପ ଏହି ହୀରା ରାଣୀଙ୍କୁ ଦାନ କରିଛନ୍ତି ବୋଲି କୁହାଗଲା। ତେବେ ଏହା ଦାନରେ ଦିଆଯାଇ ନ ଥିଲା ବରଂ ଚୋରି କରି ଭାରତରୁ ନିଆଯାଇଥିଲା ବୋଲି କୁହାଯାଉଛି।