ନୂଆଦିଲ୍ଲୀ: ହିନ୍ଦୁ ମନ୍ଦିର କଥା ଆସିଲେ ମନକୁ କେବଳ ଭାରତ ନୁହେଁ ବରଂ ବିଶ୍ୱର ଏପରି ଅନେକ ସ୍ଥାନ ଆଖି ଆଗକୁ ଚାଲି ଆସେ ଯେଉଁଠାରେ ଅନେକ ହିନ୍ଦୁ ମନ୍ଦିର ରହିଛି । ହେଲେ ପାକିସ୍ତାନ ପାରି ଦେଶରେ କୌଣସି ହିନ୍ଦୁ ମନ୍ଦିର ଦେଖାଯିବା ଆଶ୍ଚର୍ଯ୍ୟର କଥା। ପୁଣି ଏହା ଦୁନିଆର ସବୁଠାରୁ ପୁରୁଣା ମନ୍ଦିର। ସେହିପରି ଏକ ମନ୍ଦିର ହେଉଛି ପ୍ରହଲ୍ଲାଦପୁରୀ ମନ୍ଦିର । ଏହି ମନ୍ଦିର ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ ସହରରେ ଅବସ୍ଥିତ । ଏହି ମନ୍ଦିର ଏକଦା ମୁଲତାନର ଏକ ଐତିହାସିକ ସ୍ମାରକୀ ଥିଲା । ହିନ୍ଦୁ ଧର୍ମରେ ମଧ୍ୟ ଏହାର ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାରଙ୍କ ସମ୍ମାନରେ ଭକ୍ତ ପ୍ରହ୍ଲାଦ ହଜାର ହଜାର ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରିଥିଲେ । ଏହାକୁ ଭଲ ଭାବରେ ବୁଝିବା ପାଇଁ ହୋଲିକା ଦହନର କାହାଣୀ ଜାଣିବା ଜରୁରୀ ।
କିମ୍ବଦନ୍ତୀ ଅନୁଯାୟୀ, ହିରଣ୍ୟକାଶ୍ୟପ ରାକ୍ଷସମାନଙ୍କର ରାଜା ଥିଲେ । ତାଙ୍କ ପୁଅ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ । ହିରଣ୍ୟକାଶ୍ୟପ ଭଗବାନ ବିଷ୍ଣୁଙ୍କୁ ନିଜର ଶତ୍ରୁ ବୋଲି ଭାବୁଥିଲେ, ତେଣୁ ସେ ପ୍ରହ୍ଲାଦଙ୍କୁ ଭଗବାନଙ୍କୁ ପୂଜା କରିବାରୁ ରୋକିବାକୁ ଚେଷ୍ଟା କରିଥିଲେ । ଅଗ୍ନି ତାଙ୍କୁ ପୋଡ଼ି ପାରିବ ନାହିଁ ବୋଲି ହୋଲିକାଙ୍କୁ ବରଦାନ ମିଳିଥିଲା । ସେ ପ୍ରହ୍ଲାଦଙ୍କୁ କୋଳରେ ନେଇ ଜଳୁଥିବା ନିଆଁରେ ବସିଲା । କିନ୍ତୁ ଭଗବାନ ବିଷ୍ଣୁଙ୍କ କୃପାରୁ ହୋଲିକା ନିଜେ ପୋଡି ହୋଇ ମରିଥିଲା ଓ ପ୍ରହ୍ଲାଦ ସୁରକ୍ଷିତ ଭାବେ ବଞ୍ଚି ଯାଇଥିଲେ । ଏହି କାହାଣୀକୁ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ ବୋଲି ବିବେଚନା କରାଯାଏ ।
ପ୍ରହ୍ଲାଦ ବଞ୍ଚିଯିବା ପରେ ହିରଣ୍ୟକାଶ୍ୟପ ଆହୁରି କ୍ରୋଧିତ ହୋଇଥିଲେ । ରାଗରେ ସେ ଶିଶୁ ପ୍ରହ୍ଲାଦଙ୍କୁ ଏକ ଖୁଣ୍ଟରେ ବାନ୍ଧି ହତ୍ୟା କରିବା ପାଇଁ ଖଣ୍ଡା ଉଠାଇଥିଲେ । ତା’ପରେ ଭଗବାନ ବିଷ୍ଣୁଙ୍କ ଅବତାର ନରସିଂହ ଆବିର୍ଭୂତ ହୋଇ ହିରଣ୍ୟକାଶ୍ୟପର ବଧ କରିଥିଲେ । ମୁଲତାନ ମନ୍ଦିର ବିଷୟରେ କୁହାଯାଏ ଯେ ଏଠାରେ ହୋଲିକା ନିଆଁରେ ପୋଡ଼ି ଯାଇଥିଲା । ଏତଦ୍ ବ୍ୟତୀତ ଏଠାରେ ହିରଣ୍ୟକଶିପୁ ପ୍ରହ୍ଲାଦଙ୍କୁ ସ୍ତମ୍ଭରେ ବାନ୍ଧି ଦେଇଥିଲେ ଏବଂ ଭଗବାନ ନରସିଂହ ସ୍ତମ୍ଭରୁ ଆସି ତାର ବଧ କରିଥିଲେ । ସ୍ଥାନୀୟ ହିନ୍ଦୁ କର୍ମୀ ଶକୁନ୍ତଳା ଦେବୀ ବିବିସି ରିପୋର୍ଟକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, “ଏହି ମନ୍ଦିର ହଜାର ହଜାର ବର୍ଷ ପୁରୁଣା । ୧୮୬୧ ମସିହାରେ ଏହି ମନ୍ଦିର ପାଇଁ ଦାନ ମଧ୍ୟ ସଂଗ୍ରହ କରାଯାଇଥିଲା ।
୧୯୪୭ ରେ ବିଭାଜନ ସମୟରେ ପ୍ରହ୍ଲାଦପୁରୀ ମନ୍ଦିର ପାକିସ୍ତାନ ଅଞ୍ଚଳକୁ ଯାଇଥିଲା । ତେବେ ବିଭାଜନ ପରେ ମଧ୍ୟ ଏଠାରେ ହୋଲିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା । ହୋଲିକା ଦହନ ୨ ଦିନ ଏବଂ ହୋଲି ମେଳା ୯ ଦିନ ଧରି ଚାଲୁଥିଲା । କିନ୍ତୁ ୧୯୯୨ରେ ଅଯୋଧ୍ୟା-ବାବ୍ରି ମସଜିଦ ବିବାଦ ପରେ କିଛି ମୌଳବାଦୀ ମନ୍ଦିର ଭାଙ୍ଗି ଦେଇଥିଲେ । ସେବେଠାରୁ ସରକାର ଏହାର ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି । କିଛି ବର୍ଷ ତଳେ ପାକିସ୍ତାନର ଏକ ଅଦାଲତ ମନ୍ଦିରର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ସଂପୂର୍ଣ୍ଣ ରୂପେ ମରାମତି କରାଯାଇନାହିଁ ।