
ନୂଆଦିଲ୍ଲୀ: ବିଗତ କିଛିମାସ ଧରି ଦେଶରେ ଟମାଟୋ ମୂଲ୍ୟ ଆକାଶଛୁଆଁ ହୋଇଛି । ଏତେ ମୂଲ୍ୟ ଦେଇ ଟମାଟୋ କିଣିବାକୁ ସାଧାରଣ ଗ୍ରାହକ କୁଣ୍ଠାବୋଧ କରୁଥିବାବେଳେ ବର୍ତ୍ତମାନ ହୋଟେଲ କିମ୍ବା ରେସ୍ତୋରାଁରେ ମିଳୁଥିବା ନିରାମିଷ ଥାଳି (ଭାତ, ଡାଲି ଓ ବିଭିନ୍ନ ପ୍ରକାର ତରକାରୀ) ମୂଲ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଖାଦ୍ୟ ଥାଳି ମୂଲ୍ୟ ଉପରେ ନଜର ରଖୁଥିବା କ୍ରିସିଲ ସଂସ୍ଥା ପକ୍ଷରୁ ପ୍ରକାଶିତ ‘ରୋଟି ରାଇସ୍ ରିପୋର୍ଟ’ ଅନୁଯାୟୀ ବିଗତ ଏକମାସ ମଧ୍ୟରେ ନିରାମିଷ ଥାଳି ମୂଲ୍ୟ ୨୮ ପ୍ରତିଶତ ବୃଦ୍ଧି ପାଇଛି ।
ଅର୍ଥାତ ପୂର୍ବରୁ ୧୦୦ ଟଙ୍କାରେ ମିଳୁଥିବା ଏହି ଥାଳିର ମୂଲ୍ୟ ୧୨୮ ଟଙ୍କାକୁ ବୃଦ୍ଧି ପାଇଛି । ଜୁନ୍ରେ ଟମାଟୋ କିଲୋପ୍ରତି ୩୩ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଜୁଲାଇ ପ୍ରଥମ ସପ୍ତାହରେ ଏହା କିଲୋ ପିଛା ୧୧୦ ଟଙ୍କାକୁ ବୃଦ୍ଧି ପାଇ ମାସ ଶେଷଆଡକୁ ୨୫୦/୨୬୦ ଟଙ୍କା ଛୁଇଁଥିଲା । ଏପରିକି ରାଜଧାନୀ ଦିଲ୍ଲୀରେ ସରକାର ରିହାତି ମୂଲ୍ୟରେ ଟମାଟୋ ବିକ୍ରି କରିଥିଲେ ସୁଦ୍ଧା ଏହା ୩୦୦ ଟଙ୍କା କିଲୋରେ ପହଞ୍ଚିଥିଲା । ସାଧାରଣତଃ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାରତରେ ଉପଲବ୍ଧ ପରିବା ମୂଲ୍ୟକୁ ଆଧାର କରି ଘରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟ ଥାଳିର ମୂଲ୍ୟାଙ୍କନ କରାଯାଇଥାଏ ।
ଜୁଲାଇ ତୁଳନାରେ ଅଗଷ୍ଟରେ ଆଳୁ ଓ ପିଆଜ ମୂଲ୍ୟ ଯଥାକ୍ରମେ ୧୬ ଓ ୯ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ହଳଦୀ ଓ ଲଙ୍କାଗୁଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ନିରାମିଷ ଖାଦ୍ୟ ଥାଳିରେ ଟମାଟୋର ବ୍ୟବହାର ଅଧିକ ରହୁଥିବାରୁ ଆମିଷ ଥାଳି ତୁଳନାରେ ଏହା ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।