ନୂଆଦିଲ୍ଲୀ: ଅନାଦି ଅନନ୍ତ ନିରାକାର ଭଗବାନ ଶିବଙ୍କର ଆଦି ଅନ୍ତ ସନ୍ଧାନ କରିବା ଶ୍ରୀବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ପାଇଁ ମଧ୍ୟ ସମ୍ଭବ ନୁହେଁ । ସଂହାରକର୍ତ୍ତା ଶିବଙ୍କ ରହସ୍ୟ ଅଭେଦ୍ୟ । ଶିବଙ୍କ ମହିମା ମଣ୍ଡିତ ପବିତ୍ର ଅମରନାଥ ଗୁମ୍ଫା ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ତୀର୍ଥସ୍ଥଳ । ଏହି ଗୁମ୍ଫା ସମ୍ପର୍କିତ ଅନେକ ପୌରାଣିକ କାହାଣୀ ରହିଛି ।
ଅମରନାଥ ଗୁମ୍ଫା ସହିତ ଆଉ ୪ଟି ଗୁମ୍ଫା ମଧ୍ୟ ଶିବଙ୍କ ମହିମା ମଣ୍ଡିତ ଏବଂ ଏହିସବୁ ଗୁମ୍ଫାଗୁଡ଼ିକରେ ଥିବା ରହସ୍ୟ ମଧ୍ୟ ଅଭେଦ୍ୟ । ଏହି ଗୁମ୍ଫାଗୁଡ଼ିକରେ ମହାଦେବଙ୍କ ମହିମା ମଣ୍ଡିତ ଅନେକ ଅଲୌକିକ ସତ୍ତା ରହିଛି, ଯାହାକି ଅଭେଦ୍ୟ । ତେବେ ଏହି ରହସ୍ୟ ଭେଦ କରିବାକୁ ଗୁମ୍ଫା ଭିତରକୁ ଯାଇଥିବା ଅନେକ ବ୍ୟକ୍ତି ଆଉ ଫେରିନାହାନ୍ତି ବୋଲି କିମ୍ବଦନ୍ତୀ ଅଛି । ରହସ୍ୟମୟ ଶିବ ଗୁମ୍ଫା ଆଧାରରେ ଅମରନାଥ ସର୍ବାଗ୍ରେ ରହିଛି । ଶ୍ରୀନଗରଠାରୁ ୧୩୫ କିଲୋମିଟର ଦୂରତାରେ ଥିବା ଏହି ଗୁମ୍ଫା ସମୁଦ୍ରପତ୍ତନଠାରୁ ୧୩,୬୦୦ ଫୁଟ ଉଚ୍ଚତାରେ ଅବସ୍ଥିତ । ଏଠାରେ ବରଫର ସ୍ବୟଂଭୂ ଶିବଲିଙ୍ଗ ପୂଜା ପାଇଥାନ୍ତି । ଏହି ସ୍ଥାନରେ ଆଉ ଦୁଇଟି ବରଫର ଶିବଲିଙ୍ଗ ବରଫ ଦ୍ବାରା ପ୍ରାକୃତିକ ଭାବେ ନିର୍ମିତ ହୋଇଥାଏ, ଯାହାକୁ ଭକ୍ତମାନେ ମା’ ପାର୍ବତୀ ଓ ଶ୍ରୀଗଣେଶ ଭାବେ ପୂଜା କରିଥାନ୍ତି ।
ଅମରନାଥ ଗୁମ୍ଫାରେ ବରଫରେ ଆପଣାଛାଏଁ ଉଭା ହୋଇଥିବା ଶିବଲିଙ୍ଗ ପୂଜା ପାଇଥାନ୍ତି । ଏଠାରେ ପୂଜା ପାଉଥିବା ଶିବଲିଙ୍ଗ ବର୍ଷରେ ଥରେ ମାତ୍ର ଆର୍ବିଭାବ ହୋଇଥାନ୍ତି । ତାହା ବି ମାତ୍ର ଅଳ୍ପ କିଛି ଦିନ ପାଇଁ । ତେବେ ପାହାଡ଼ ଭିତରେ ଶିବଙ୍କ ପ୍ରତିମୂର୍ତ୍ତି ଆର୍ବିଭାବ ହେବା ପଛରେ ଅନେକ କାହାଣୀ ରହିଛି ।ମାନ୍ୟତା ଅନୁଯାୟୀ, ଭଗବାନ ଶିବ ଅମରନାଥ ଗୁମ୍ଫାରେ ମା’ ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଇଥିଲେ । ତେଣୁ ଅମରନାଥ ଗୁମ୍ଫାର ମହତ୍ୱ ହିନ୍ଦୁ ଶ୍ରଦ୍ଧାଳୁଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଅମର ମନ୍ତ୍ର ବା ଅମରକଥା ଶୁଣିବା ପାଇଁ କାହାକୁ ଅନୁମତି ମିଳିନଥିଲା । ତେଣୁ ଭଗବାନ ଶିବ ମା’ ପାର୍ବତୀଙ୍କୁ ଅମରକଥା ଶୁଣାଇବା ସମୟରେ ସବୁକିଛି ତ୍ୟାଗ କରି ଆସିଥିଲେ । ଯେପରିକି କେହି ଅମର ମନ୍ତ୍ର ଶୁଣି ଅମର ନ ହୋଇ ଯାଉ ।
ଅମରନାଥ ଗୁମ୍ଫାରୁ ପାଖାପାଖି ୯୬ କିଲୋମିଟର ପଛକୁ ପହଲଗାମ ଭଳି ଏକ ଏଭଳି ଗ୍ରାମ ରହିଛି ଯେଉଁଠାରେ ଭଗବାନ ଶିବ ରହିବା ସହ ବିଶ୍ରାମ କରିଥିଲେ । ଅମର ମନ୍ତ୍ର ଶୁଣାଇବା ପୂର୍ବରୁ ଭଗବାନ ଶିବ ମଝି ରାସ୍ତାରେ ନନ୍ଦୀ ଷଣ୍ଢକୁ ଛାଡ଼ି ଦେଇଥିଲେ । ଏହାପରେ ଶେଷନାଗ ଝିଲ୍ଲୀ ନିକଟରେ ଗଳାରୁ ସାପ ମଧ୍ୟ ବାହାର କରି ଦେଇଥିଲେ । ପୁତ୍ର ଗଣେଶକୁ ମହାଗୁଣାସ ପାହାଡ଼ ଉପରେ ଛାଡ଼ି ଦେଇଥିଲେ । ଏହାପରେ ପଞ୍ଚ ତରଣୀ ପୁଷ୍କରଣୀ ନିକଟରେ ପହଞ୍ଚି ପାଞ୍ଚ ତତ୍ୱକୁ ମଧ୍ୟ ତ୍ୟାଗ କରି୍ଥିଲେ ।
କୁହାଯାଏ, ଯେବେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ମନ୍ତ୍ର ଶୁଣାଉଥିଲେ ସେତେବେଳେ ତାଙ୍କ ବ୍ୟତୀତ ଏକ ପାରା ଯୋଡ଼ି ମଧ୍ୟ ଉକ୍ତ ଗୁମ୍ଫାରେ ବାସ କରୁଥିଲେ । ମାତା ପାର୍ବତୀଙ୍କୁ ଶିବ ଅମର ମନ୍ତ୍ର ଶୁଣାଉଥିବା ବେଳେ ପାରା ଦୁଇଟି ମଧ୍ୟ ଅମରମନ୍ତ୍ର ଶୁଣି ନେଇଥିଲେ । ଅମର ମନ୍ତ୍ର ଶୁଶିବା ପରେ ଦୁଇଟି ପାରା ସବୁଦିନ ପାଇଁ ଅମର ହୋଇଗଲେ । ଆଜି ପର୍ଯ୍ୟନ୍ତ ଏହି ଦୁଇ ପାରାଙ୍କୁ ଅମରନାଥ ଗୁମ୍ଫାରେ ଦେଖିବାକୁ ମିଳେ । ଅମରନାଥ ଗୁମ୍ଫାର ଚାରି ପାଶ୍ୱର୍ ତରଳ ବରଫରେ ଆଚ୍ଛାଦିତ । କିନ୍ତୁ ଗୁମ୍ଫା ଭି୍ତରେ ଥିବା ଶିବଲିଙ୍ଗ କଠିନ ବରଫରେ ଆର୍ବିଭାବ ହୋଇଥାନ୍ତି । ଏହା କିପରି ପାହାଡ଼ ମଧ୍ୟରେ ଆର୍ବିଭାବ ହୁଏ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।