
ଭୁବନେଶ୍ୱର : ଆଜି ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଭୁବନେଶ୍ବରରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ୫୭ ନମ୍ବର ଓ୍ବାର୍ଡ ବଡ଼ଗଡ଼ରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।
ଏହି ଅବସରରେ ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିଠୁ ବିଜେଡିର ଯାତ୍ରା ଆରମ୍ଭ ହେଲା । ଏହି ଅବସରରେ ପ୍ରଥମେ ସେ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ସେ କହିଛନ୍ତି ଗାନ୍ଧିଜୀ ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛନ୍ତି । ଗାନ୍ଧିଜୀଙ୍କ ନୀତି ଆମକୁ ବାଟ ଦେଖାଇଛି । ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସିଏସଟିଙ୍କ ପାଇଁ କାମ କରୁଛି । ମହିଳା ଶସକ୍ତିକରଣ ଦିଗରେ ବିଜେଡି ସର୍ବଦା ଆଗଭର ।
ଏହାସହ ମହିଳା ଆଇନ ବିଷୟରେ କହି ନବୀନ କହିଛନ୍ତି କି ମହିଳା ଆଇନ ମଧ୍ୟ ବିଜେଡିର ବହୁଦିନର ଉଦ୍ୟମ ଥିଲା ଏବଂ ତାହାର ସଫଳ ନେଇ ମଧ୍ୟ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିରାଟ ପରିବର୍ତନ ଆଣିଛି ସେ ବିଷୟରେ ମଧ୍ୟ ନବୀନ କହିଥିଲେ । ଅନ୍ୟପଟେ ସ୍କୁଲ ରୁପାନ୍ତରଣ, ଖାଦ୍ୟ ସୁରକ୍ଷା, କ୍ରୀଡା କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ନିମନ୍ତେ ଉଦାହରଣ ସାଜିଛି ବୋଲି ନବୀନ କହିଛନ୍ତି ।
୨୦୨୪ ନିର୍ବାଚନ ନିମନ୍ତେ ଆଜିଠୁ ଏହି ପଦଯାତ୍ରା ଆରମ୍ଭ ହୋଇଛି l ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ଲୋକଙ୍କ ନିକଟରେ ବିଜେଡିର ବିକାଶମୂଳକ କାର୍ଯ୍ୟ ବାର୍ତ୍ତାକୁ ପହଞ୍ଚାଇବା l ତେଣୁ ନବୀନ ଏହି ଅବସରରେ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ବିକାଶର ବାର୍ତ୍ତାକୁ ଯଥା ସମ୍ଭବ ଘରେ ଘରେ ପହଞ୍ଚାଇବା ପାଇଁ ।