Site icon UTKAL PRATIDIN

ଓଡିଶାର ଏକ ନିଆରା ପରମ୍ପରା : ଅକ୍ଷୟ ତୃତୀୟା

Capture

ଭୁବନେଶ୍ଵର: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ। ଏହା ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ ହୋଇଥିବାରୁ ଓଡ଼ିଶାର ପୂରପଲ୍ଲୀରେ କୃଷକମାନେ ଏହାକୁ ବେଶ୍ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥାନ୍ତି। ଏହିଦିନ କୃଷକମାନେ ଭଲ ତିଥ୍ ଓ ସମୟ ଯୋଗ ଦେଖ୍ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ଶୁଭଦାୟକ ହୋଇଥିବାରୁ, ପ୍ରାୟତଃ ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ,ଉପନୟନ ଆଦି ଶୁଭ କର୍ମମାନ ଅନୁଷ୍ଠିତ ହୁଏ। ପୌରାଣିକ ଦୃଷ୍ଟିକୋଣରୁ ଏ ଦିନର ମହତ୍ଵ ଯଥେଷ୍ଟ ଅଧିକ । ଏହି ଦିନକୁ ସତ୍ୟ ଯୁଗର ପ୍ରାରମ୍ଭ ଦିବସ ରୂପେ ଗ୍ରହଣ କରାଯାଇଛି। ଅକ୍ଷୟ ତୃତୀୟାରେ ଋଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ । ଏହି ଦିନ ସୂର୍ଣ୍ଣ କ୍ରୟ କଲେ ଲକ୍ଷ୍ମୀ ଧନଧାନ୍ୟରେ ଗୃହ ପୂର୍ଣ୍ଣ କରିଦିଅନ୍ତି ବୋଲି ବିଶ୍ବାସ ରହିଛି।

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରାଯାଏ। ଗୀତଗୋବିନ୍ଦର ରଚୟିତା କବି ଜୟଦେବ ଅକ୍ଷୟ ତୃତୀୟା ଦିନ ଜନ୍ମଗ୍ରହଣ କରିଥିଲେ ବୋଲି କୁହାଯାଏ। ବଦ୍ରି-ନାରାୟଣ କବାଟ ଏହି ଦିନ ଖୋଲିଥାଏ । ମା’ ଗଙ୍ଗା ମଧ୍ୟ ଏହି ଦିନ ମର୍ତ୍ତ୍ୟରେ ଅବତରଣ କରିଥିଲେ ବୋଲି ମଧ୍ୟ କିମ୍ବଦନ୍ତୀ କୁହେ। ଶଙ୍ଖ ଓ ହୁଳହୁଳି ଧ୍ବନି ମଧ୍ୟରେ ଚାଷୀମାନେ ହଳଦୀ, ଚନ୍ଦନ ଓ ସିନ୍ଦୂର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣି ଏବଂ ଅମ ଏକ ନୂଆ ଟୋକେଇରେ ପିଠାପଣାକୁ ମୁଣ୍ଡରେ ଥୋଇ, ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଯାଏ। ଏହାପରେ ସେହି ଭୋଗକୁ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଯାଇ ଓ ମୁଠାମୁଠା ବିହନ କିଆରୀରେ ବୁଣାଯାଏ, ଯାହାକୁ ଅକ୍ଷିମୁଠି ବୋଲି କୁହାଯାଏ ।

ସଧବା ସ୍ତ୍ରୀମାନେ ଏହିଦିନ ‘ଷଠିଦେବୀଙ୍କ ପୂଜା କରିଥାନ୍ତି ଏହି ତିଥ୍‌ରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ ବିଧୂ ଅନୁସାରେ, ତିନିଖଣ୍ଡି ଧଉରା କାଠରେ ମନ୍ତ୍ରରେ ପୂଜିତ କୁରାଢି ଲଗା ବନଜାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନ ଠାକୁର ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ବନଜାଗ ପୂଜା ସମ୍ପାଦନା କରିଥାନ୍ତି। ରୂପକାର, କମାଳ ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢ଼ିବନ୍ଧା ନ ପାଳିତ ହୁଏ ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ ।ଏହିଦିନ ଜଳଦାନ କଲେ ଅଶେଷ ପୁଣ୍ୟଫଳ ମିଳେ। ଏହି ଦିନଠାରୁ ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭ ଦିନ ହୋଇଥାଏ। ଏହି ଦିନ ଦେବୀ ଉପାସନା କରିବା ଉଚିତ୍। ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ମହାନ ପର୍ବ । ଏହି ପବିତ୍ର ଦିନକୁ ରାଜ୍ୟ ସରକାର ‘କୃଷକ ଦିବସ’ ଭାବେ ଘୋଷଣା କରିଛନ୍ତି । କୃଷି ଓ କୃଷକଙ୍କୁ ଉପଯୁକ୍ତ ସମ୍ମାନ ଦେବା ତଥା ସମସ୍ତ ଚାଷୀ ଭାଇମାନଙ୍କୁ ଉତ୍ସାହିତ କରିବା ହେଉଛି ‘କୃଷକ ଦିବସ’ ପାଳନର ମୂଳ ଉଦେଶ୍ୟ।

Exit mobile version