
ଭୁବନେଶ୍ଵର: ରାଜଧାନୀରେ ଜାରି ରହିଛି କାଳବୈଶାଖୀ ବର୍ଷା । ତେବେ ଆହୁରି ମଧ୍ୟ କିଛି ଦିନ ଏହି ଧାରା ଜାରି ରହିବାକୁ ଥିବା ବେଳେ ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପାଇଁ କେନ୍ଦୁଝର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜ୍ୟରେ ୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି, କୁଆପଥର ବର୍ଷା ନେଇ ଆଲର୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକରେ ୩୦ରୁ ୪୦ ଏବଂ କିଛି ସ୍ଥାନରେ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ସହ ଝଡ଼ତୋଫାନ ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଉପରେ ୨ଟି ଟ୍ରପ୍ ଲାଇନ୍ ବା ନିମ୍ନ ରେଖା ସକ୍ରିୟ ରହିଛି । ଯାହାର ପ୍ରଭାବରେ ବର୍ଷା ହେଉଛି। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।