ନବରଙ୍ଗପୁର : ଆମ ସମାଜ ଏବେ ବି ପୁଅ ଝିଅ ଭିତରେ ପାର୍ଥକ୍ୟ କରୁଥିବା ବେଳେ ବାପାଙ୍କୁ ମୁଖାଗ୍ନି ଦେଇ ଏକ ନୂଆ ଉଦାହରଣ ତଥା ପରିଚୟ ସୃଷ୍ଟି କରିଛନ୍ତି ଆଇ. ଭି. ରେଶମା l ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସମାଜର ସମସ୍ତ ରୀତି ନୀତି ଓ ଅନ୍ଧବିଶ୍ୱାସକୁ ପଛରେ ପକାଇ ଶ୍ମଶାନରେ ମୁଖାଗ୍ନି ଦେଇଛନ୍ତି କଟେଶ୍ୱର ରାଓଙ୍କବଡ଼ ଝିଅ ରେଶମା ।
ଏପରି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ପଠାଣ ସାହିରେ l ପଠାଣ ସାହିରେ ରହୁଥିବା କଟେଶ୍ୱର ରାଓଙ୍କର ଦୁଇ ଝିଅ l ଗତକାଲି ହଠାତ୍ କଟେଶ୍ୱରଙ୍କର ମୃତ୍ୟୁ ଘଟିବା ପରେ ପରିବାର ଲୋକେ ମୁଖାଗ୍ନି କିଏ ଦେବ ବୋଲି ଚିନ୍ତାରେ ପଡ଼ିଥିଲେ । ଏହି ସମୟରେ କଟେଶ୍ୱରଙ୍କର ବଡ଼ ଝିଅ ଆଇ. ଭି. ରେଶମା କହିଥିଲେ ମୁଁ ବାପାଙ୍କୁ ମୁଖାଗ୍ନି ଦେବି ।
କଟେଶ୍ୱର ବଞ୍ଚିଥିବା ବେଳେ ବଡ଼ ଝିଅ ମୁଖାଗ୍ନି ଦେବ ବୋଲି ପରିବାର ଲୋକଙ୍କୁ ଥରେ କହିଥିଲେ l ଆମ ସମାଜ ଏବେ ବି ପୁଅମାନଙ୍କୁ ପ୍ରାଧାନ୍ୟ ଦେଇ କେବଳ ପୁଅ ମାନେ ହିଁ ବାପା-ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ନିୟମ ମାନୁଥିବା ବେଳେ କଟେଶ୍ୱରଙ୍କ ବଡ଼ ଝିଅ ନିଜ ବାପାଙ୍କୁ ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। କଟେଶ୍ୱର ରାଓ ଜଣେ ସମାଜ ସଂସ୍କାରକ ଥିଲେ। ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ପାଇଁ ଜୀବନରେ ଅନେକ କାର୍ଯ୍ୟ କରିଥିଲେ କଟେଶ୍ୱର । ତେବେ ତାଙ୍କର ସମାଜ ସଂସ୍କାର ପଥରେ ଆଗେଇ ବଡ଼ ଝିଅ ଏପରି ଏକ ଉଦାହରଣ ସାଜିଛନ୍ତି ସମାଜ ପାଇଁ l