କଟକ: ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତ ସୃଷ୍ଟି ହେବାକୁ ଯାଉଛି । ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ଏଥି ଲାଗି ୬ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି । ବର୍ଷାର ପରିମାଣ ବଢିଲେ ଏହି ସବୁ ଜିଲ୍ଲାରେ ବନ୍ୟା ସମସ୍ୟା ଉପୁଜୁ ପାରେ ବୋଲି କହାଯାଇଛି । ମହାନଦୀରେ ପାଣି ବଢିବାକୁ ଥିବାବେଳେ ଏସଆରସି (ସ୍ୱତନ୍ତ୍ର ରିଲିଫ କମିଶନର)ଙ୍କ ପକ୍ଷରୁ ଅନୁଗୁଳ, ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଜିଲ୍ଲାପାଳମାନଙ୍କୁ ଦୁର୍ବଳ ନଦୀବନ୍ଧ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏହି ୬ଟି ଜିଲ୍ଲାରେ ଯେଭଳି ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ ସେଥିପାଇଁ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୬୨ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି । କେନ୍ଦ୍ରାପଡାରେ ୧୦ଟି, କଟକ ସଦରରେ ୧୦, ଆଠଗଡ଼ରେ ୮, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡରେ ୮ ଓ ପୁରୀରେ ୧୨ଟି ଅଗ୍ନିଶମ ଓ ଜରୁରୀକାଳୀନ ଟିମଙ୍କୁ ମୁତୟନ କରାଯାଇଛି । ସେହିପରି ନୟାଗଡ ବ୍ୟତୀତ ଅନ୍ୟ ୫ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି ।
ସେହିପରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରମୁଖ ନଦୀ ସହ ଶାଖା ନଦୀମାନଙ୍କରେ ମଧ୍ୟ ପାଣି ବଢ଼ିବାରେ ଲାଗିଛି । ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ୧୨ଟି ଜିଲ୍ଲାର ୮୨ଟି ବ୍ଲକର ୨୬୪ ପଞ୍ଚାୟତର ୪୮୧ଟି ଗାଁ ପ୍ରଭାବିତ ହୋଇଛି । ୪ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୦୩ଟି ଜାଗାରେ ରନ୍ଧା ଖାଦ୍ୟ ଦିଆଯାଉଛି । ବନ୍ୟା ସ୍ଥିତିର ସୁଧାର ଆସିଲେ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି ।
ସେପଟେ ମିଳିଥିବା ସୂଚନାନୁସାରେ, ଏବେ ସୁଦ୍ଧା ମୁଣ୍ଡଳୀଠାରେ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ ଜଳ ପ୍ରବାହିତ ହେଉଛି । ବଡ଼ମୂଳରେ ୮ଲକ୍ଷ ୬୫ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ହୀରାକୁଦରେ ମଧ୍ୟ ଜଳ ପ୍ରବେଶ ମାତ୍ରା ବଢ଼ିଛି । ୨ ଲକ୍ଷ ୬ ହଜାର ୪୭୮କ୍ୟୁସେକ ଜଳ ପ୍ରବେଶ କରୁଛି । ଅନ୍ୟପଟେ ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି । ବିନା ଅନୁମତିରେ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।