Site icon UTKAL PRATIDIN

ମୁଖ୍ୟମନ୍ତ୍ରୀଙ୍କ ଆଶା ଯାହା ଥିଲା ପୂରଣ କରି ପାରିନି!

5

ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ। ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଥିଲେ ।

ତେବେ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ପରେ ପ୍ରତିକ୍ରିୟାରେ ରଖିଛନ୍ତି ରୋହିତ | ସେ କହିଛନ୍ତି ଯେ, ମନ୍ତ୍ରୀ ଭାବେ ମୁଁ ମୋର ବେଷ୍ଟ୍ ଏଫର୍ଟ ଦେଇଛି | ବୋଧେ ମୋ ଠାରୁ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥିବେ, ଯାହା ମୁଁ ଦେଇପାରିନଥିବି | ସେଥିପାଇଁ ମୋତେ ବାଦ ଦିଆଯାଇଥିବ | ବାଦ ପଡିଥିବା ଯୋଗୁଁ ଦୁଃଖ ନାହିଁ, ଦଳ ପକ୍ଷରୁ ଯାହା ଦାୟିତ୍ୱ ମିଳିବ କରିବି | ମୁଁ ଭାବୁଛି ମୁଖ୍ୟମନ୍ତ୍ରୀଙ୍କର ଅଧିକ ଆଶା ଥିଲା, ଯାହା ପୂର୍ଣ୍ଣ ହୋଇପାରିନାହିଁ | ସେଥିପାଇଁ ମୋତେ ବାଦ ଦେଇଛନ୍ତି |

ସେ ଆହୁରି କହିଛନ୍ତି ଯେ, ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମତେ ବହୁତ ଜିନିଷରେ ଆଶୀର୍ବାଦ କରିଛନ୍ତି | ଜିଲ୍ଲା ସଭାପତି ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ | ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି l ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ l ମୁଁ ନୂଆ ମନ୍ତ୍ରୀ ହୋଇଥିଲି | ଆହୁରି ସମୟ ଅଛି ଶିଖିବି, ଯାହା ଦାୟିତ୍ୱ ଦେବେ କାମ କରିବି | ମିଡ଼ିଆରୁ ମୁଁ ଜାଣିଲି ମୁଁ ଯେତିକି କରିଛି ତାଠୁ ଆହୁରି ଆଶା ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କ ଥିଲା | ସେଥିପାଇଁ ସେ ମତେ ବାଦ ଦେଇଛନ୍ତି |

ଉଲ୍ଲେଖ ଥାଉ କି ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଦ୍ ଦେଇଥିବା କୁହାଯାଉଥିବା ବେଳେ ନିକଟରେ ସେ ତାଙ୍କର ‘୬୦ ବର୍ଷ’ ମନ୍ତବ୍ୟ ପାଇଁ ବିବାଦୀୟ ହୋଇଥିଲେ। ୬୦ ବର୍ଷରୁ ଅଧିକ ବ୍ୟକ୍ତି ରାଜନୀତିରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ତେବେ ୨୦୨୨ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ୫ ଜୁନ୍‌ ୨୦୨୨ରେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ।

Exit mobile version