
ଭୁବନେଶ୍ଵର: ଉପକୂଳରୁ ଉପାନ୍ତ ଅଞ୍ଚଳରେ ପ୍ରବଳ ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ଆଜି ସାଢ଼େ ୧୧ରେ ଝାରସୁଗୁଡ଼ାରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି । ଝାରସୁଗୁଡାରେ ତାପମାତ୍ରା ୩୭.୮ ଥିବା ବେଳେ ହୀରାକୁଦରେ ୩୭ ଓ ସମ୍ବଲପୁର ୩୬ ଡିଗ୍ରୀ ରହିଛି ତାପମାତ୍ରା ।
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ୧୯ରୁ କାଳବୈଶାଖୀ ଦ୍ବାରା ରାଜ୍ୟର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୩ଦିିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ଥିବାରୁ ଦିନ ତାପମାତ୍ରା ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ହ୍ରାସ ପାଇବ। ଗ୍ରୀଷ୍ମଲହରୀ ଏବଂ କାଳବୈଶାଖୀ ଜନିତ ସତର୍କତା ପାଇଁ ଜିଲାପାଳମାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।