
ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପକୁ ନେଇ ଭୟ ବଢ଼଼ିବାରେ ଲାଗିଛି। ଏହି ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ନେଇ ଏକାଧିକ ମଡେଲ୍ ଆକଳନ କରିବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ିଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଆଇଏମ୍ଡି ପକ୍ଷରୁ ବାତ୍ୟା ସୃଷ୍ଟି ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ, ହେଲେ ୨୪ ତାରିଖରୁ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ସମୁଦ୍ର ଆଶାନ୍ତ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।
୨୪ ତାରିଖରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ସେହିଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଓ କଟକରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ସେହିପରି ୨୫ ତାରିଖରେ ଏହାର ପ୍ରଭାବ ବଢ଼଼ିବା ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆକଳନ କରାଯାଇଛି। ସେହିପରି ସେହିଦିନ ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ଲଘୁଚାପ ଯୋଗୁଁ ଆସନ୍ତା ୨୩ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ହୋଇ ୪୦-୫୦ କିମି ରହିବ। ସମୟେ ସମୟେ ଏହା ୬୦କିମି ପ୍ରତି ଘଣ୍ଟା ଛୁଇଁବ। ସେହିପରି ୨୪ ତାରିଖ ସୁଦ୍ଧା ପବନର ବେଗ ବୃଦ୍ଧି ପାଇବ ଉତ୍ତର-ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବ ଏବଂ ସମୟେ ସମୟେ ଏହା ୭୦ କିମି ପ୍ରତି ଘଣ୍ଟା ମଧ୍ୟ ଛୁଇଁପାରେ ବୋଲି କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖଠାରୁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଆସନ୍ତା ୨୨ରେ ଲଘୁଚାପ ସୃଷ୍ଟି ହୋଇ ୨୪ ତାରିଖରେ ଏହା ଅବପାତର ରୂପ ନେଇ ପାରେ। ପରବର୍ତ୍ତୀ ସମୟରେ ଏହା ଆହରି ଘନୀଭୂତ ହେବାକୁ ଥିବାରୁ ବାତ୍ୟା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରୁନାହିଁ।
ଅନ୍ୟପଟେ, ରାଜ୍ୟରେ ବର୍ତ୍ତମାନ ତାତି ସହ ଗୁଳୁଗୁଳି ଜାରି ରହିଛି। ସୋମବାର ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜ୍ୟର ୧୦ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତଦୂର୍ଦ୍ଧ୍ବ ରେକର୍ଡ କରାଯାଇଛି। ଅନ୍ୟପଟେ ଉପକୂଳରେ ଅସହ୍ୟ ଗୁଳୁଗୁଳି ତଥା ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା କଷ୍ଟ ଭୋଗିଛନ୍ତି। ଆଗାମୀ ୩ ଦିନ ମଧ୍ୟରେ ତାତି ଆହୁରି ୨ ରୁ ୩ ଡିଗ୍ରୀ ଯାଏଁ ବଢ଼଼ିବା ସମ୍ଭାବନା ରହିଛି। ଫଳରେ ତାତି ଓ ଗୁଳୁଗୁଳି ଆହୁରି ଅଧିକ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି। ମଙ୍ଗଳବାର ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ବୌଦ୍ଧ ଓ ବଲାଙ୍ଗିରରେ ପ୍ରବଳ ତାତି ଅନୁଭୂତ ହେବା ଏହି ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ତାତି ସାଙ୍ଗକୁ ବର୍ତ୍ତମାନ ଅପରାହ୍ଣରେ ଅନେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହୁଛି।