
ଶ୍ରୀ ବଳଭଦ୍ର ଆଜି ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ ।ବଡ଼ ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ ପରିଧାନ କରି ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।
କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଓ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି।
ବିଶେଷକରି ସୋମବାର ଶିବଙ୍କ ବାର ହୋଇଥିବାରୁ କାର୍ତ୍ତିକ ମାସ ଅମାବାସ୍ୟା ପରେ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ହରିହର ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ୍ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ବେଶ୍ ଭିଡ଼ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।