
ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ଗୁରୁବାର ଏକ ଗୁରୁତ୍ୱପୁର୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ | ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଆସନ ସଂରକ୍ଷଣକୁ ନେଇ ବଡ ନିଷ୍ପତି | ସୁପ୍ରିମ କୋର୍ଟର ୭ ଜଣିଆ ଖଣ୍ଡପୀଠରେ ୬:୧ ବହୁମତରେ ଏହି ନିଷ୍ପତି ନିଆଯାଇଛି | ଏହି ନିଷ୍ପତ୍ତିରେ କୁହାଯାଇଛି, ଏସସି\ଏସଟି କାଟେଗୋରୀରେ ଥିବା ଅଧିକ ପଛୁଆଙ୍କ ପାଇଁ ଅଲଗା କୋଟା ଦିଆଯାଇପାରେ | ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଖଣ୍ଡପୀଠ କହିଛନ୍ତି, ଏସସି\ଏସଟି ସଂରକ୍ଷଣ ଅନୁସାରେ ଭିନ୍ନ ଭିନ୍ନ ଜାତିଙ୍କୁ ଅଲଗା ଅଂଶ ଦିଆଯାଇପାରେ | ଏପରି ନିଷ୍ପତ୍ତି ଶୁଣାଇ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ, ରାଜ୍ୟରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ କୋଟା ଭିତରେ କୋଟା ଦିଆଯାଇପାରେ |
୨୦୦୪ ନିଷ୍ପତ୍ତି ପରେ ସୁପ୍ରିମକୋର୍ଟଙ୍କ ଆଜିର ନିଷ୍ପତ୍ତି ବହୁତ ଗୁରୁତ୍ୱପୂର୍ଣ ଅଟେ |୨୦୦୪ରେ ଇଭି ଚିନ୍ନାୟା ମାମଲାରେ ସୁପ୍ରିମ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ | ହେଲେ ଏବେ ୭ ଜଣିଆ ଖଣ୍ଡପୀଠ ଏହାକୁ ଖାରଜ କରି ଦେଇଛନ୍ତି ।
ସୂଚନା ଥାଉ କି, ପଞ୍ଜାବରେ ବାଲ୍ମୀକି ଏବଂ ଧାର୍ମିକ ଶିଖ ଜାତିଙ୍କୁ ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ଦେବା ଆଇନକୁ ୨୦୧୦ରେ ହାଇକୋର୍ଟ ରଦ୍ଧ କରିଦେଇଥିଲେ | ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଚାଲେଞ୍ଜ କରା ଯାଇଥିଲା | ଗୁରୁବାର ଏହି ମାମଲାର ଶୁଣାଣି ହୋଇଥିଲା | ୭ଜଣିଆ ଖଣ୍ଡପୀଠ ଏହି ମାମଲାରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି |
ସୂଚନା ଥାଉ କି,ଏସସି\ଏସଟି ସଂପ୍ରଦାୟରେ ଏପରି ଜାତି ଅଛନ୍ତି, ଯେଉଁମାନେ ବହୁତ ଅଧିକ ପଛୁଆ ବର୍ଗର | ଏହି ବର୍ଗଙ୍କ ବିକାଶ ଉପରେ ବିଶେଷ ଦୃଷ୍ଟି ଦିଆଯିବା ଦରକାର | ତେବେ ବିଶେଷ ପଛୁଆ ବର୍ଗର କି ନୁହେଁ ଉକ୍ତ ଜାତିଙ୍କୁ ଏହାର ପ୍ରମାଣ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି | ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ସେମାନଙ୍କର ପ୍ରତିନିଧିତ୍ବର ଆଧାରରେ ଏହାର ପ୍ରମାଣ ଦେବା ଦରକାର ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି | କୌଣସି ଜାତିର ଅଧିକ ସଂଖ୍ୟାକୁ ଆଧାର କରି ଏହି ସୁବିଧା ଦିଆଯିବ ନାହିଁ |