Site icon UTKAL PRATIDIN

ସବୁ ପ୍ରତୀକ୍ଷାର ହେଲା ଅବସାନ, ୯ ମାସ ପରେ ଫେରିଲେ ମହାକାଶ ପରୀ

2_1742350816734

ୱାସିଂଟନ୍: ସବୁ ପ୍ରତୀକ୍ଷାର ହେଲା ଅବସାନ। ସରିଲା ୯ ମାସର ଅପେକ୍ଷା। ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା। ସୁନୀତାଙ୍କ ଓଠରେ ଫୁଟିଲା ହସ। ସୁନୀତାଙ୍କ ସହ ୪ ସାଥୀ ସହଯୋଗୀଙ୍କୁ ଦେଖି ନାସା ବି ଖୁସ୍‌। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ । ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି।

ସ୍ପେସ୍ କ୍ରାଫ୍ଟରେ ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋରଙ୍କ ସହ ଥିଲେ ନାସାର ନିକ୍ ହଗ୍ ଓ ରୁଷ ମହାକାଶଚାରୀ ଆଲେକଜେଣ୍ଡାର ଗୋରବୁନୋଭ। ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ଥିଲା ୧୭ ଘଣ୍ଟାର ଯାତ୍ରା । ଏହି ସମସ୍ତ ମହାକାଶଚାରୀମାନେ ସ୍ପେଶଏକ୍ସ (SpaceX) ଡ୍ରାଗନ୍ ମହାକାଶ ଯାନ ମାଧ୍ୟମରେ ଫ୍ଲୋରିଡାର ଗଲ୍ଫ୍ କୋଷ୍ଟରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି । କ୍ରୁ-9 ମାର୍ଚ୍ଚ 18, 2025ରେ ଭାରତୀୟ ସମୟ (IST) ପୂର୍ବାହ୍ନ 10.35ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନର ହ୍ୟାଚ୍ ବନ୍ଦ କରି ଅନଡକ୍ କରି ପୃଥିବୀ ଆଡକୁ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ସ୍ପେଶଏକ୍ସର ଡ୍ରାଗନ୍ ମହାକାଶ ଯାନ ପୃଥିବୀକୁ ଫେରିବା ପାଇଁ ଏକ ସ୍ବତନ୍ତ୍ର ପଦ୍ଧତି ଗ୍ରହଣ କରିଥିଲା । ଯାହାଦ୍ବାରା ମହାକାଶ ଯାନ ସୁରକ୍ଷିତ ଭାବରେ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରିଥିଲା ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାଣିରେ ଅବତରଣ କରିପାରିଛି । ଏହି ସମୟରେ ଡଲଫିନ୍ ମହାକାଶଚାରୀମାନଙ୍କୁ ସ୍ୱାଗତ କରିଥିଲେ ଯେଉଁମାନେ କ୍ୟାପସୁଲ୍ ଚାରିପାଖରେ ପହଁରିଥିଲେ ଯାହାକୁ ପରେ ଜାହାଜ ଦ୍ୱାରା ମହାକାଶଚାରୀଙ୍କୁ ପୁନରୁଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ୨୦୨୪ ମସିହା ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ବୋଇଂ ଷ୍ଟାର୍ ଲାଇନର ମହାକାଶଯାନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ISS)ରେ ପହଞ୍ଚିଥିଲେ। ୮ ଦିନ ପାଇଁ ISS ଯାଇଥିବା ୪ ମହାକାଶଚାରୀ ସେମାନଙ୍କ ମହାକାଶଯାନର ତ୍ରୁଟି ଲାଗି ଫେରିବାରେ ବିଳମ୍ବ ହୋଇଥିଲା। ଶେଷରେ ସ୍ପେସ୍ ଏକ୍ସ କ୍ୟାପସୁଲରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।

Exit mobile version