ୱାସିଂଟନ୍: ମହାକାଶକୁ ୮ ଦିନ ପାଇଁ ଯାଇଥିଲେ, ହେଲେ ୯ ମାସ ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଫ୍ଲୋରିଡା ତଟରେ କ୍ରୁ-୯ ମିଶନର ଡ୍ରାଗନ ମହାକାଶଯାନର ସଫଳ ଅବତରଣ ପରେ ସୁରକ୍ଷିତ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ତାଙ୍କ ଟିମ୍। ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ ଫେରିଛନ୍ତି ସୁନୀତା। ଜାଣିଛନ୍ତି କି ସୁନୀତାଙ୍କ ଫେରିବା ବେଳେ ବିପଦ ଉପୁଜିଥିଲା। ଏମିକି ଏକ ସମୟ ଆସିଥିଲା ନାସା ବୈଜ୍ଞାନିକ ଚିନ୍ତାରେ ପଡି ଯାଇଥିଲେ।
ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ (ISS) ରୁ ପୃଥିବୀ ପର୍ଯ୍ୟନ୍ତ ୧୭ ଘଣ୍ଟାର ଯାତ୍ରା ବେଶ ଚ୍ୟାଲେଞ୍ଜିଂପୂର୍ଣ୍ଣ ରହିଥିଲା । ସ୍ପେଶ୍କ୍ରଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତା’ର ତାପମାତ୍ରା ୧୯୦୦ ଡିଗ୍ରୀ ସେଲସିୟସରୁ ଅଧିକ ହୋଇଯାଇଥିଲା । ଏହା ସେହି ସମୟ ଥିଲା, ଯେତେବେଳେ କି ୭ ମିନିଟ ପାଇଁ କମ୍ୟୁନିକେସନ ବ୍ଲାକଆଉଟ ହୋଇଯାଇଥିଲା । ଏହା ସାମାନ୍ୟ ହେଲେ ହେଁ ଚ୍ୟାଲେଞ୍ଜିଂପୂର୍ଣ୍ଣ ହୋଇଥାଏ । ସେହି ସମୟରେ ନାସାର ସ୍ପେସକ୍ରାଫ୍ଟ ସହ ସମ୍ପର୍କ ରହିନଥାଏ ।
ତେଣୁ ଅନ୍ତରୀକ୍ଷ ଏଜେନ୍ସିଂଙ୍କର ସ୍ପେସକ୍ରାଫ୍ଟ ସହ କନେକ୍ଟ ହୋଇପାରିନଥିଲା। ୭ମିନିଟ୍ ପରେ ୩ଟା ୨୦ମିନିଟରେ ଯୋଗାଯୋଗ ହୋଇଥିଲା। ଏହି ବିପଦକୁ ପାର କରି ସ୍ପେସକ୍ରାଫ୍ଟ ସମୁଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିଥିଲା ଓ ଜଣ ଜଣ କରି ୪ ଜଣ ମହାକାଶଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏପରି ଭାବେ ମହାକାଶରେ ୨୮୬ ଦିନ ବିତାଇବା ପରେ ସୁନୀତା ଓ ତାଙ୍କର ସାଥୀମାନେ ପୃଥିବୀର ତାଜା ବାୟୁରେ ପୁଣି ଥରେ ନିଃଶ୍ବାସ ନେଇଥିଲେ । ତେବେ ବ୍ଲାକଆଉଟ ସମୟରେ ଯଦି ତାପମାତ୍ରା ବହୁତ ଅଧିକ ହୁଏ ତେବେ ସ୍ପେସକ୍ରାଫ୍ଟ କ୍ରାଶ ହେବାର ସମ୍ଭାବନା ବଢିଯାଏ । ଏମିତି ପୂର୍ବରୁ ହୋଇ ସାରିଛି। ୨୦୦୩ ଫେବୃଆରୀ ୧ରେ ସ୍ପେସକ୍ରାଫ୍ଟ କଲୋମ୍ବିଆ ଏହି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁଥିରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱାଲାଙ୍କର ମୃତ୍ୟୁ ହୋଇଥିଲା।

