
ଭୁବନେଶ୍ଵର: ଗତ ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେ ନାହିଁ । ଶେଷ ହିତାଧିକାରୀଙ୍କୁ ମଧ୍ୟ ଲିଷ୍ଟରେ ସାମିଲ କରାଯିବ। ଖୁବଶୀଘ୍ର ସେମାନଙ୍କୁ ବି ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଆହୁରି ୨ ଲକ୍ଷ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହେବେ ।
ସୁଭଦ୍ରା ଯୋଜନା ପାଇଁ ୨.୫ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ପୋର୍ଟାଲ୍ ରେ ଇ- କେଓ୍ବାଇସି କରି ନାହାଁନ୍ତି । ଏଥିପାଇଁ ଆଉ ଭାଗ୍ୟବାନ ୨ ଲକ୍ଷ ମହିଳା ହେବେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଶେଷ ହିତାଧିକାରୀ । ହିତାଧିକାରୀ ପ୍ରଦାନ କରିଥିବା ନିଜ ବ୍ୟାଙ୍କ ଆକାଉଣ୍ଟରେ ସୁଭଦ୍ରା ଟଙ୍କା ଆସିବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ସରକାର । ଯଦି ଏମିତି ସୁବିଧା ନଥିବ ତେବେ ସେହି ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । କେବଳ ସେତିକି ନୁହେଁ ଆଧାର ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଟଙ୍କା ଆସିବ ।
ଫେବୃଆରୀ ୮ରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା ସୁଭଦ୍ରା ଟଙ୍କା । ଏଯାବତ୍ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। ଏବେ ବି ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ E-KYC କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି । ଡିବିଟି ଆକ୍ଟିଭ୍ ହୋଇନଥିବାରୁ ସୁଭଦ୍ରା କିସ୍ତି ସେମାନଙ୍କ ଆକାଉଣ୍ଟକୁ ଯାଇନାହିଁ । ତେଣୁ E-KYC କରିଦେଲେ ହିତାଧିକାରୀମାନେ ଆସନ୍ତା ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ସହ ପ୍ରଥମ ପର୍ଯ୍ୟାୟର ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।