
ଭୁବନେଶ୍ଵର: ପାମ୍ପଡ଼ କହିଲେ ଅନେକ ଲିଜ୍ଲତ କମ୍ପାନୀର ପାମ୍ପଡ଼କୁ ବୁଝନ୍ତି । ଭାରତୀୟ ପାମ୍ପଡ଼ ବ୍ୟବସାୟରେ ଲିଜ୍ଜତ ଏକ ଜଣାଶୁଣା ବ୍ରାଣ୍ଡ୍ । ଲିଜ୍ଜତ ରାତାରାତି ବ୍ରାଣ୍ଡରେ ପରିଣତ ହେଇନି । ସେଥିପାଇଁ କିଛି ଉତ୍ସାହୀ ମଣିଷଙ୍କ ନିରବିଚ୍ଛିନ୍ନ ଉଦ୍ୟମ ଓ ଅଧ୍ୟବସାୟ ରହିଛି । ଲିଜ୍ଜତର କାହାଣୀ ଯେ କୌଣସି ୱେବ୍ ସିରିଜର କାହାଣୀ ଠାରୁ କମ୍ ରୋମାଞ୍ଚକର ନୁହେଁ । ଆସନ୍ତୁ ଏବେ ସେ ଲିଜ୍ଜତର କାହାଣୀ ଶୁଣିବା ।
୧୯୫୯ ମସିହାର ବମ୍ବେ ସହର । ଖରାଦିନ । କଲୋନୀର ଗୋଟେ ଛାତ ଉପରେ ସେଦିନ ଏକାଠି ହେଇଥା’ନ୍ତି ଆଡ଼ିଶା-ପଡ଼ିଶାର ସାତ ଜଣ ସ୍ତ୍ରୀଲୋକ । ସେମାନେ ଏକ ସମସ୍ୟାର ସରଳ ସମାଧାନ ପାଇଁ ବାଟ ଖୋଜୁଥା’ନ୍ତି । ସମସ୍ତିଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା, କ’ଣ କେମିତି କରି ସୁରୁଖୁରୁରେ ଘର ଚଳାଇବା ପାଇଁ କିଛି ଅଧିକା ରୋଜଗାର କରିବେ ଓ ପରିବାରକୁ ସାହାଯ୍ୟ କରିବେ । ଚାକିରି ବାକିରି କରିବା ପାଇଁ ପାଠ ଦରକାର । ତାହା ସେମାନଙ୍କ ପାଖରେ ନଥିଲା । ବହୁତ ଚିନ୍ତାକଲା ପରେ ଗୋଟେ ଉପାୟ ମିଳିଲା । ସେମାନେ ସମସ୍ତେ ଆପଣା ଆପଣା ଘରୋଇ ବ୍ୟବହାର ପାଇଁ ପାମ୍ପଡ଼ ତିଆରି ଜାଣିଥିଲେ । ତେଣୁ କଥା ଛିଡ଼ିଲା ଆଉ କିଛି କିଛି ଅଧିକା ପାମ୍ପଡ଼ ତିଆରି କରିବେ ଓ ଆଖପାଖରେ ବିକ୍ରୀ କରିବାକୁ ଚେଷ୍ଟା କରିବେ । ସେମାନେ ସମସ୍ତେ କାମଚଳା ସାମାନ୍ୟ ପାଠ ଶାଠ ପଢିଥିଲେ ଓ କାହାର ବି ବ୍ୟବସାୟ କରିବାର ଅଭିଜ୍ଞତା ନଥିଲା । ତେବେ ବେପାର ବଣିଜ କରିବା ଓ ଅଳ୍ପରୁ ବହୁତ ହେବାର ଏବଂ କରିପାରିବାର ଗୁଜୁରାଟି ରକ୍ତ ସେମାନଙ୍କ ଭିତରେ ଥିଲା । ସେଦିନ ଛାତ ଉପରେ ଏକାଠି ହେଇଥିବା ସାତ ଜଣ ହେଲେ ଜସବନ୍ତୀବେନ୍ ପୋପଟ୍, ଜୟାବେନ୍ ଭିଥାଲାନି, ପ୍ରଭାବତୀବେନ୍ ଥୋଦାନୀ, ଉଜମବେନ୍ କୁଣ୍ଡଲିଆ, ବନୁବେନ୍ ତାନ୍ନା, ଚୁତଡବେନ୍ ଗୱାଡ଼େ ଓ ଲାଗୁବେନ୍ ଗୋକାନି ।
ଫଟାଫଟ୍ ସମସ୍ତେ ଏଥର କାମରେ ଲାଗିଗଲେ ଓ ପ୍ରଥମଦିନ ଚାରି ପ୍ୟାକେଟ୍ ପାମ୍ପଡ଼ ତିଆରିକଲେ । ପାଖ ବଜାରରେ ସେମାନଙ୍କ ହାତ ତିଆରି ପାମ୍ପଡ଼ ବିକ୍ରୀପାଇଁ ପହଞ୍ଚାଇଲେ । ଦୋକାନ ଦୋକାନ ବୁଲି ପାମ୍ପଡ଼ ଦେବା ଓ ପଇସା ଆଦାୟ କରିବା ଏତେ ସହଜ ନଥିଲା । ଦୋକାନୀମାନେ କାହିଁକି ବା ହଠାତ୍ ସେମାନଙ୍କ ପାଖରୁ ପାମ୍ପଡ଼ ନେଇଥା’ନ୍ତେ? ସେଦିଗରେ ସାହାଯ୍ୟ କରିବାକୁ ପହଞ୍ଚିଲେ ପୁରୁଷୋତ୍ତମ ଦାମୋଦର ଦତ୍ତାନି । ପୁରୁଷୋତ୍ତମ ବାବୁ ଦୋକାନ ଦୋକାନ ବୁଲି ଶେଷରେ ପାମ୍ପଡ଼ତକ ଗୋରେଗାଓଁ’ର ଆନନ୍ଦଜୀ ପ୍ରେମଜୀ ଆଣ୍ଡ କମ୍ପାନୀରେ ବିକ୍ରୀ କରି ଫେରିଲେ । ସେଦିନ କିଲେ ପାମ୍ପଡ଼ ବିକ୍ରୀ ହେଇଥିଲା ଓ ରୋଜଗାର ହେଇଥିଲା ଆଠ ଅଣା । ପରଦିନ ଦୁଇ କିଲୋ ବିକ୍ରୀ ହେଇଗଲା ଓ ରୋଜଗାର ହେଲା ଟଙ୍କାଟେ । ଏ କଥା ଧିରେ ଧିରେ ଅନ୍ୟ ପାଖ ପଡ଼ୋଶୀର ସ୍ତ୍ରୀଲୋକମାନେ ଜାଣିଲେ ଓ ସେମାନେ ବି ସହଭାଗୀ ହେବାକୁ ପହଞ୍ଚିଲେ । ସମବାୟ ସମିତି ଗଢା ହେଲା । ମାତ୍ର ତିନି ଚାରି ମାସ ଭିତରେ ସମବାୟ ସମିତିରେ ଦୁଇଶହ ସ୍ତ୍ରୀଲୋକ ସଦଶ୍ୟ ହେଇସାରିଥିଲେ । ୱାଡ଼ାଲାରେ ରହୁଥିବା କିଛି ସ୍ତ୍ରୀଲୋକ ଆଗ୍ରହୀ ହେବାରୁ ସେମାନଙ୍କ ପାଇଁ ଆଉ ଏକ ଶାଖା ସେଠି ଖୋଲାଗଲା । ସେଇ ୧୯୫୯ରେ ଛଅ ହଜାର ଟଙ୍କାର ବିକ୍ରୀବଟା ହେଇଥିଲା । ସେ ସମୟ ଅନୁସାରେ ଛଅ ହଜାର ଟଙ୍କା ବହୁତ କିଛି ଥିଲା ।
ସମାଜସେବୀ ଛଗନଲାଲ୍ ପରେଖ ଯାହାଙ୍କୁ ଲୋକେ ଛଗନବାପା ବୋଲି ଡାକୁଥିଲେ ତାଙ୍କ ପାଖରେ ଏଇ ସାତ ଭଉଣୀ ସାହାଯ୍ୟ ପାଇଁ ପହଞ୍ଚିଲେ । ସାହାଯ୍ୟ ମାନେ ବେପାର ବଢେଇବାକୁ କିଛି ଅର୍ଥର ଆବଶ୍ୟକତା ଥିଲା ଓ ସେଇ ଅର୍ଥ ସାହାଯ୍ୟ ପାଇଁ ସେମାନେ ଛଗନ ବାପାଙ୍କ ପାଖରେ ପ୍ରକୃତରେ ପହଞ୍ଚିଥିଲେ । ଛଗନବାପା ସେମାନଙ୍କୁ ଅଶି ଟଙ୍କା ଧାର୍ ଦେଇଥିଲେ । ସେଦିନ ଅଶି ଟଙ୍କାର ମୂଳଧନରେ ଆରମ୍ଭ ହେଇଥିବା ବ୍ୟବସାୟ ଆଜି ଷୋଳହଜାର କୋଟି ଟଙ୍କାରେ ପହଞ୍ଚି ସାରିଛି । ଛଗନବାପା କେବଳ ଆର୍ଥିକ ସାହାଯ୍ୟ କରିନଥିଲେ, ସେ ସ୍ତ୍ରୀଲୋକମାନଙ୍କୁ ବ୍ୟବସାୟ ସୁରୁଖୁରୁରେ ଚଳେଇବା ପାଇଁ ବିଭିନ୍ନ ମାର୍ଗଦର୍ଶନ ମଧ୍ୟ କରୁଥିଲେ । ଛଗନବାପାଙ୍କ ଉପଦେଶ କ୍ରମେ ସେମାନେ ଏକା ଆକାରର ଏକା ସ୍ୱାଦର ପାମ୍ପଡ଼ ତିଆରି କରିଥିଲେ ଓ ପାମ୍ପଡ଼ର ଗୁଣବତ୍ତାରେ କୌଣସି ପ୍ରକାରର ବୁଝାବଣା କରିନଥିଲେ । ଛଗନବାପାଙ୍କ ପ୍ରାରମ୍ଭିକ ସାହାଯ୍ୟ ଓ ସହଯୋଗକୁ ମନେରଖିବାକୁ ଲିଜ୍ଜତ ୧୯୮୦ରୁ ତାଙ୍କ ନାମରେ ଏକ ସ୍କଲାରସିପ୍ ର ପ୍ରଚଳନ ଆରମ୍ଭ କରିଛି ।
୧୯୫୯ ମସିହାରେ ମାତ୍ର ସାତଜଣ ସାଧାରଣ ସ୍ତ୍ରୀ ଲୋକଙ୍କ ଦ୍ୱାରା ଆରମ୍ଭ ହେଇଥିବା ଉଦ୍ୟୋଗ ଆଜି ସ୍ତ୍ରୀଲୋକମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପୁରୁଣା ଓ ବୃହତ୍ ସମବାୟ ଉଦ୍ୟୋଗ । ଆଜି ସଂସ୍ଥା ସହ ପ୍ରାୟ ପଇଁଚାଳିଶ ହଜାର ସ୍ତ୍ରୀଲୋକ ଯୋଡ଼ି ହୋଇ ରହିଛନ୍ତି । ବଡ଼ କଥା ହେଲା ଲିଜ୍ଜତ ଏତେ ବର୍ଷ ଧରି ତା’ର ସ୍ୱାଦ ଓ ମାନକୁ ବଜାୟ ରଖିଛି । ହଜାର ପ୍ରତିକୂଳତା ଭିତରେ ଲିଜ୍ଜତ ତା’ର ଇଜ୍ଜତ କିନ୍ତୁ ବଞ୍ଚେଇ ରଖିଛି । ଆଜିକାଲି ପାମ୍ପଡ଼ ସହ ଲିଜ୍ଜତ ତା’ ବ୍ରାଣ୍ଡରେ ବିଭିନ୍ନ ପ୍ରକାର ମସଲା, ଅଟା, ଲୁଗାଧୁଆ ପାଉଡର୍ ଓ ସାବୁନ, ଖକରା, ବଡ଼ି, ଧୂପକାଠି ଆଦି ଅନେକ ଜିନିଷ ତିଆରି କରୁଛି ।