
ବଲାଙ୍ଗିର: ଯୌତୁକ ଜୁଇରେ ବଳି ପଡିଲା ଆଉ ଏକ ଜୀବନ। ଯୌତୁକ ପାଇଁ ଷ୍ଟାଫନର୍ସଙ୍କୁ ପିଟି ପିଟି ମାରିଦେଲେ ଶାଶୁଘର ଲୋକ । ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଷ୍ଟାଫ ନର୍ସଙ୍କ ବାପା । ମୃତକ ଷ୍ଟାଫନର୍ସ ଜଣଙ୍କ ହେଲେ କ୍ରିଷ୍ଣା ସାହୁ । କ୍ରିଷ୍ଣା ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିଲେ । ତେବେ କ୍ରିଷ୍ଣାଙ୍କ ମୃତ୍ଯୁ ପୂର୍ବରୁ ସେ କରିଥିବା ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ମାଡ ମରାଯାଉଥିଲା ବୋଲି ସେ କାନ୍ଦି କାନ୍ଦି କହିଛନ୍ତି।
ଖବର ମୁତାବକ, ୨୦୨୨ ମସିହାରେ ବରଗଡ଼ ଜିଲ୍ଲା ଗାଈସିଲେଟ ଥାନା ଅଏଁଳାଭଟା ଗାଁ ର ଝିଅ କ୍ରିଷ୍ଣା ସାହୁ, ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ନେହେନାବନ୍ଦ ଗାଁରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଦୁଇ ବର୍ଷର ଶିଶୁପୁତ୍ର ଅଛି । ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ୱାମୀ ମାଡ ମାରୁଥିବା ନିଜ ମୋବାଇଲରେ ଗୋଟିଏ ଭିଡିଓ କରି ବାପାଙ୍କ ପାଖକୁ ସକାଳୁ ପଠାଇଥିଲେ କ୍ରିଷ୍ଣା । ଏହାପରେ କ୍ରିଷ୍ଣା ଚରମ ନିଷ୍ପତ୍ତି ନେଇଥିଲେ । ଘଟଣା ପରେ କ୍ରିଷ୍ଣାଙ୍କୁ ଉଦ୍ଧାରକରି ପାଟଣାଗଡ଼ ଡାକ୍ତରଖାନାକୁ ଆଣିଥିବା ପରିବାର ତରଫରୁ କୁହାଯାଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ଯୌତୁକ ପାଇଁ ପରିବାରରେ ଅନେକଥର ଝଗଡା ଲାଗିରହୁଥିବା କହିଛନ୍ତି କ୍ରିଷ୍ଣାଙ୍କ ପରିବାର । ଏବେ ଉପଯୁକ୍ତ ନ୍ୟାୟ ପାଇଁ ଦାବି ରଖିଛନ୍ତି । ପାଟଣାଗଡ଼ ପୋଲିସ୍ ସାଇଣ୍ଟିଫିକ ଟିମ୍ ସହ ପ୍ରାଥମିକ ତଦନ୍ତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀ ଆଲୋକ ସାହୁଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରିରଖିଥିବା କହିଛନ୍ତି ଏସଡିପିଓ ସଦାନନ୍ଦ ପୂଜାରୀ ।