
କୋରାପୁଟ: ଓଡିଶାରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସଏସ ରାଜାମୌଲି । ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB-29ର ସୁଟିଂ ପାଇଁ ବର୍ତ୍ତମାନ କୋରାପୁଟ ଜିଲ୍ଲାରେ ନିଜର ଟିମ୍ ସହ ଡେରା ପକାଇଛନ୍ତି । ଏହି ରହଣି ସମୟରେ, ସେ ଓଡ଼ିଶାର ବହୁ ପ୍ରସିଦ୍ଧ ତଥା ସର୍ବୋଚ୍ଚ ପର୍ବତ ଶିଖର ଦେଓମାଳିକୁ ଏକ ସୋଲୋ ଯାତ୍ରା କରିଥିଲେ । କିନ୍ତୁ ସେଠାକୁ ଯାଇ, ସେ ଯାହା ଅନୁଭବ କଲେ ତାହା ଆପଣଙ୍କୁ ବି ମର୍ମାହତ କରିବ । ଦେଓମାଳି ଶିଖରର ମନୋରମ ସୌନ୍ଦର୍ଯ୍ୟରେ ସେ ମୁଗ୍ଧ ହୋଇଯାଇଥିଲେ ସତ କିନ୍ତୁ ସେଠିକା ପରିବେଶ ତାଙ୍କୁ ନିରାଶ କରିଥିଲା ।
ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରାଜମୌଲି ଏନେଇ ଭିଡ଼ିଓ ଶେୟାର କରି ଲେଖିଛନ୍ତି, ‘ଓଡ଼ିଶାର ସବୁଠୁ ଉଚ୍ଚା ସ୍ଥାନକୁ ଏକୁଟିଆ ପରିଭମ୍ରଣରେ ଆସିବାର ଅନୁଭୂତି ନିଆରା, ଏଠାକାର ସୌନ୍ଦର୍ଯ୍ୟ ଅତି ମନମୁଗ୍ଧକର, ହେଲେ ଏଠାକୁ ଆସିବା ବେଳେ ପରିବେଶ ତାଙ୍କୁ ସେତିକି ଖୁସି ଦେଇଛି, ତା ଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ଏଠାକାର ସ୍ଥିତି । ଚାରିଆଡେ କୃଢ-କୁଢ ଅଳିଆ ଆବର୍ଜନା ଭରିରହିଛି । ପ୍ରକୃତିକୁ ଏଭଳି ଅସମ୍ମାନ ଦିଆଯାଉଥିବା ସେ ଭିଡ଼ିଓରେ କହିଛନ୍ତି । ତେଣୁ ସବୁ ପର୍ଯ୍ୟଟକ ଏବଂ ଏଠାକାର ନାଗରିକ ଯଦି ଟିକେ ଦାୟିତ୍ୱବୋଧ ଭାବେ କାମ କରିବେ ତେବେ ବଡ଼ ପରିବର୍ତ୍ତନ ଆସିପାରିବ । ରାଜମୌଲିଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ଏବେ ଦେଶ ପାଇଁ ଚର୍ଚ୍ଚାର ବିଷୟ ହୋଇଛି । କାହିଁକି ପର୍ଯ୍ୟଟନ ସ୍ଥଳୀକୁ ପରିଷ୍କାର ରଖାଯାଉନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକାଶ କରି, ରାଜାମୌଲି ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଏବଂ ନାଗରିକ ସଚେତନତାର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ବ ଦେଇ ଲେଖିଛନ୍ତି, ଓଡିଶାର ସର୍ବୋଚ୍ଚ ଏବଂ ସବୁଠାରୁ ଚମତ୍କାର ଶିଖର ଦେଓମାଳିକୁ ଆଶ୍ଚର୍ଯ୍ୟଜନକ ଏକାକୀ ଯାତ୍ରା କରିଥିଲି। ଉପରୁ ଦୃଶ୍ୟ ସମ୍ପୂର୍ଣ୍ଣ ମନୋରମ ଥିଲା । ହେଲେ ସେଠିକା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ରାସ୍ତା ଦେଖିବା ନିରାଶାଜନକ ଥିଲା । ଏପରି ନୈରାଶ୍ୟଜନକ ଆଶ୍ଚର୍ଯ୍ୟ ଆହୁରି ଭଲ ହେବା ଯୋଗ୍ୟ । ନାଗରିକମାନଙ୍କ ଟିକିଏ ଦାୟିତ୍ବବୋଧ, ଏଥିରେ ବଡ଼ ପରିବର୍ତ୍ତନ ଆଣିପାରିବ । ପ୍ରତ୍ୟେକ ପରିଦର୍ଶକ ଏହି ସ୍ଥାନଗୁଡ଼ିକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ଅଳିଆ ଆବର୍ଜନା ନିଜ ସହ ଫେରାଇ ନେବା ଉଚିତ୍ । ଦେଇମାଳିର ପରିବେଶ ଦେଖି ଦୁଃଖ ପ୍ରକାଶ କରିବା ସହ କିଛି ଏପରି ଉକ୍ତି ଲେଖିଥିଲେ ଏସଏସ ରାଜାମୌଲି । ଯାହା ବାସ୍ତବରେ ଆଜିକା ସମୟରେ ପର୍ଯ୍ୟଟନ ସ୍ଥଳ ହେଉକି ରାସ୍ତା ଘାଟ ସବୁ ପାଇଁ ଏକ ବଡ ଚିନ୍ତା ।
କହିରଖୁଛୁ ଯେ, ରାଜାମୌଲୀ ତାଙ୍କ ଆଗାମୀ ଚଳଚ୍ଚିତ୍ର SSMB-29ର ସୁଟିଂ ପାଇଁ ବର୍ତ୍ତମାନ କୋରାପୁଟରେ ନିଜର ଟିମ୍ ସହ ଅଛନ୍ତି । ଫିଲ୍ମର ଲିଡ୍ ଷ୍ଟାର୍ ମହେଶବାବୁ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସୁଟିଂ ପାଇଁ କୋରାପୁଟ ଆସିଥିଲେ । ପ୍ରାୟ ୧୫ ଦିନ ରହି ସିନେମାର କିଛି ଭାଗ ସୁଟିଂ ସାରି ଫେରିଛି ରାଜାମୌଲିଙ୍କ ଟିମ୍ ।