ସୋମବାର ତଥା ଆଜି ଠାରୁ ସଂସଦର ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବ ଏହି ସ୍ୱତନ୍ତ୍ର ଅଧିବେଶନ l ତେଣୁ ଏହି ଅଧିବେଶନକୁ ନେଇ ଅନେକ ଆଶା ଓ ଆଶଙ୍କା ରହିଛି । ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନ ସଂସଦର ପୁରୁଣା ଭବନରେ ଆଜି ଆରମ୍ଭ ହେବ ହେଲେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୯ (ମଙ୍ଗଳବାର) ଠାରୁ ଏହା ସଂସଦର ନୂଆ ଭବନରେ ଚାଲିବ ।
ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନକୁ ନେଇ ଏବେ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରିଛି l ବିରୋଧୀ ଦଳ ଅଭିଯୋଗ କରିଛି ଯେ ସରକାର ଏହି ଅଧିବେଶନ ଲାଗି ଏଜେଣ୍ଡା ଘୋଷଣା ନ କରି ଏହାକୁ ଗୋପନ ରଖିବାକୁ ଚେଷ୍ଟା କରିଛନ୍ତି l ଏଥିସହ କଂଗ୍ରେସ ଦାବି କରିଛି କି ଏହି ସ୍ୱତନ୍ତ୍ର ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ ପାସ ହେବା ଦରକାର l କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ରାଜୀବ ଗାନ୍ଧୀ ପ୍ରଥମେ ମେ’ ୧୯୮୯ ମସିହାରେ ପଞ୍ଚାୟତ ଏବଂ ନଗରପାଳିକାରେ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିଲେ । ଏହା ଲୋକସଭାରେ ପାରିତ ହୋଇଥିଲା କିନ୍ତୁ ସେପ୍ଟେମ୍ବର ୧୯୮୯ ରେ ରାଜ୍ୟସଭାରେ ବିଫଳ ହୋଇଥିଲା । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପି.ଭି ନରସୀମା ରାଓ ଏପ୍ରିଲ ୧୯୯୩ ରେ ପୁନଶ୍ଚ ପଞ୍ଚାୟତ ଏବଂ ନଗରପାଳିକାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଦାଖଲ କରିଥିଲେ ଏବଂ ବିଲଟି ଉଭୟରୁ ପାରିତ ହୋଇ ଆଇନରେ ପରିଣତ ହୋଇଥିଲା ।
ଅନ୍ୟପଟେ ସଂସଦର ସ୍ଵତନ୍ତ୍ର ଅଧିବେଶନ ନିମନ୍ତେ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକରେ ମନ୍ତ୍ରୀ ରାଜନାଥ ସିଂହ, ପୀୟୂଷ ଗୋୟଲ ପ୍ରମୁଖ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ । ଏଥିରେ ଆହୁରି ଅନେକ ନେତା ଯୋଗ ଦେଇଥିଲେ l
ତେବେ ଏହି ସ୍ୱତନ୍ତ୍ର ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂସଦର ସ୍ଵତନ୍ତ୍ର ଅଧିବେଶନ କାଳରେ ସେପ୍ଟେମ୍ବର ୧୯ ତାରିଖ ସକାଳ ୯ଟା ୩୦ ମିନିଟ୍ରେ ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କର ଗ୍ରୁପ୍ ଫଟୋ ଉଠାଯିବ । ଏଥିପାଇଁ ସମସ୍ତ ସଦସ୍ୟଙ୍କୁ ସୂଚନା ପ୍ରଦାନ କରାଯିବା ସହିତ ଉପସ୍ଥିତ ରହିବାକୁ କୁହାଯାଇଛି । ନୂଆ ସଂସଦ ଭବନରେ ପ୍ରବେଶ ନିମନ୍ତେ ସମସ୍ତ ସଦସ୍ୟଙ୍କୁ ନୂଆ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଏହି ସ୍ୱତନ୍ତ୍ର ଅଧିବେଶନ ଉପରେ ସମସ୍ତଙ୍କର ବିଶେଷ ନଜର ରହିଛି l କାରଣ ସାଧାରଣତଃ ସଂସଦରେ ଶୀତ କାଳୀନ ଅଧିବେଶନ, ମୌସୁମୀ ଅଧିବେଶନ ଓ ବଜେଟ ଅଧିବେଶନ ଅନୁଷ୍ଠିତ ହୋଇଥାଏ l ଏପରି ସ୍ୱତନ୍ତ୍ର ଅଧିବେଶନ ସବୁବେଳେ କରାଯାଏ ନାହିଁ l ଶେଷଥର ପାଇଁ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ୨୦୧୭ ମସିହା ଜୁନ ୩୦ରେ କରାଯାଇଥିଲା l ଏହାପରେ ଏବେ ପୁନର୍ବାର ଏପରି ଏକ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି l