Site icon UTKAL PRATIDIN

ଭକ୍ତଙ୍କ ଗହଳିରେ ବର୍ଷୁଛି ଆକାଶରୁ ସାପ

1

ଭୁବନେଶ୍ଵର: ଆଜି ହେଉଛି ବାଲି ତୃତୀୟା ଓଷା ତଥା ସୋମବାର । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ହଠାତ୍ ସେତେବେଳେ ଭକ୍ତଙ୍କ ମୁଣ୍ଡରେ ପଡିଲା ସାପ ଛୁଆ । ଭୟରେ ଭକ୍ତ ଚାରିଆଡେ ଦୌଡିବାକୁ ଲାଗିଲେ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଇସାନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ।

ସୂଚନା ଅନୁସାରେ, ଆଜି ସକାଳେ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଇସାନେଶ୍ୱର୍ ମନ୍ଦିର ପ୍ରାଙ୍ଗଣରେ ଭକ୍ତମାନେ ପୂଜାର୍ଚ୍ଚନା କରୁଥିବା ସମୟରେ ସେଠାରେ ଥିବା ଏକ ବଉଳ ଗଛ ଉପରୁ ଗୋଟେ ପରେ ଗୋଟେ ସାପ ଛୁଆ ତଳକୁ ପଡ଼ିବାରେ ଲାଗିଲା । ଏହା ଦେଖି ଭକ୍ତମାନେ ଭୟଭୀତ ହୋଇ ଦୌଡିବାକୁ ଲାଗିଲେ । ମନ୍ଦିର ରେ ଚହଳ ପଡ଼ିଗଲା । ଏହା ଜାଣିବା ପରେ ସଙ୍ଗେ ସଙ୍ଗେ ମନ୍ଦିର କମିଟି ସମ୍ପାଦକ, ଚେୟାରମ୍ୟାନ ଆଦି ଘଟଣା ସ୍ଥଳକୁ ବାଉଁଶ ବାରିକେଡ ଦେଇ ବନ୍ଦ କରି ଭକ୍ତ ମାନଙ୍କୁ ସେଇ ରାସ୍ତା ଦେଇ ଯିବା ପାଇଁ ବାରଣ କରିଥିଲେ । ପରେ ମନ୍ଦିର କମିଟି ତରଫରୁ ସ୍ନେକ୍ ହେଲ୍ପ ଲାଇନକୁ ଖବର ମଧ୍ୟ ଦିଆଗଲା ।

ଖବର ପାଇବା ପରେ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମନ୍ଦିରରେ ପହଞ୍ଚିବା ପରେ ଦେଖିଲେ କି ଏକ ପ୍ଲାଷ୍ଟିକ ଟବ୍ ଭିତରେ ସବୁଜ ରଙ୍ଗର ୭ଟି ଲାଉଡଙ୍କିଆ ସାପ ଛୁଆ ବୁଲୁଛନ୍ତି । ତେବେ ଆଉ ସେଥିମଧ୍ୟରୁ ଆଉ ୪-୫ଟି ସାପ ଛୁଆ ଖସି କେଉଁଆଡେ ଚାଲିଯାଇଥିଲେ । ସ୍ନେକ୍ ହେଲ୍ପ ଲାଇନ କର୍ମୀଙ୍କ ଦ୍ଵାରା ଅନେକ ଖୋଜା ଖୋଜି କଲା ପରେ ମଧ୍ୟ ମା ସାପ ଓ ବାକି ଛୁଆ ସାପଙ୍କୁ ପାଇନଥିଲେ। ଏହାପରେ ସ୍ନେକ୍ ହେଲ୍ପ ଲାଇନ କର୍ମୀମାନେ ସାପକୁ ନ ଘୋଉଡେବାକୁ ଯେତେ ବୁଝାଇଲେ ମଧ୍ୟ ସାପ ଛୁଆଙ୍କୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଥିଲା ମନ୍ଦିର କମିଟି । ପରେ ମନ୍ଦିର ପାଖରୁ ଅନତି ଦୂର ଏକ ଜଙ୍ଗଲିଆ ସ୍ଥାନରେ ସାପ ଛୁଆ ମାନଙ୍କୁ ଛାଡ଼ି ଦିଆ ଯାଇଛି ।

ନାଗ, ଢମଣା, ଧଣ୍ଡ, ଅଜଗର ଆଦି ସାପ ମାନେ ଅଣ୍ଡା ଦେଇଥାନ୍ତି, ଏବଂ ପ୍ରାୟ ଦୁଇ ମାସ ଗଲେ ତାଙ୍କର ଅଣ୍ଡା ଫୁଟିଥାଏ । କିନ୍ତୁ, ଏଇ ଲାଉଡଙ୍କିଆ ସାପ ମାନେ ସିଧାସଳଖ ଛୁଆ ଜନ୍ମ କରିଥାନ୍ତି । ଛୁଆ ମାନେ ଏକ ପାରଦର୍ଶି  ଝିଲ୍ଲି ଆବରଣ ଯୁକ୍ତ ଖୋଳ ଭିତରେ ଥାଆନ୍ତି । ମାଆ ପେଟରୁ ବାହାରି ଗଛରୁ ତଳେ ପଡ଼ିବା ବେଳେ ସେଇ ଝିଲି ଫାଟି ଯାଇଥାଏ, ଏବଂ ଛୁଆ ମାନେ ବାହାରକୁ ଆସି ଯାଆନ୍ତି।  ଝିଲି ଭିତରେ ଥିବା ତରଳ ପଦାର୍ଥ ଯୋଗୁଁ ସାପ ଛୁଆ ମାନଙ୍କର ଗଛରୁ ପଡ଼ିବା ଦ୍ଵାରା କିଛି କ୍ଷତି ହୋଇ ନଥାଏ  ବୋଲି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Exit mobile version