Site icon UTKAL PRATIDIN

ଦୁର୍ଗା ପୂଜାର ଆଗମନରେ ସଜେଇ ହେଉଛି ସିଲଭର ସିଟି

ସଜେଇ ହେଉଛି ସିଲଭର ସିଟି_20230923_104408_0000

କଟକ : କଟକରେ ଦୁର୍ଗାପୂଜାର ମାହାତ୍ମ୍ୟ ରାଜ୍ୟ ତଥା ରାଜ୍ୟ ବାହାରେ ବି ବେଶ ପରିଚିତ l ତେବେ ଆସନ୍ତା ଅକ୍ଟୋବର ୨୦ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗା ପୂଜା । ଏଥିପାଇଁ ଏବେଠାରୁ ସିଲଭର ସିଟି କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି l ସଜେଇ ହେଉଛି ପୂଜା ମଣ୍ଡପ । ପୁରା ସହର ଏବେ ଚଳଚଞ୍ଚଳ ହୋଇ ଉଠିଛି l

କଟକ ସହର ଚାନ୍ଦିର ତରକସି କାମ ସହ ଚାନ୍ଦି ମେଢ଼ ପାଇଁ ଖୁବ ପ୍ରସିଦ୍ଧ l ସେଥିପାଇଁ ସମସ୍ତ ପୂଜା ମଣ୍ଡପରେ ସାଜସଜାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ସର୍ବ ପ୍ରଥମେ ଚାନ୍ଦିର ମେଢ଼ଗୁଡ଼ିକ ବାହାର କରି ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି l ଅନ୍ୟପଟେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ମୂର୍ତ୍ତିକୁ ଆକର୍ଷଣୀୟ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି ।

ଚାନ୍ଦିନୀ ଚୌକ ପୂଜା କମିଟିରେ ନଡା ବନ୍ଧା କାମ ଆରମ୍ଭ ହୋଇସାରିଥିବା ବେଳେ ଖଡିଲଗା ଅମାବାସ୍ୟାରେ ମୂର୍ତ୍ତିକୁ ଖଡ଼ିଲାଗି କରାଯିବ ବୋଲି କହିଛନ୍ତି ମୂର୍ତ୍ତି କାରିଗର । ସେହିଭଳି ସହରର ଅନ୍ୟତମ ପ୍ରବେଶ ପଥ ଯେପରିକି ଖାନନଗର, ଖପୁରିଆ, ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ମଧ୍ୟ୍ୟ ଚାଲିଛି ଜୋରସୋରରେ ପ୍ରସ୍ତୁତି ସହ ଚାନ୍ଦି ସଫା କାର୍ଯ୍ୟ ।

ଚଳିତ ବର୍ଷ ସିଲଭର ସିଟିରେ ଦୁଇଟି ପୂଜା କମିଟି ନୂତନ ଭାବେ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛନ୍ତି । ତେଣୁ ପୂର୍ବରୁ ୨୭ ଟି ଚାନ୍ଦି ମେଢରେ ମା’ ପୂଜା ପାଉଥିବାବେଳେ ଏବେ ଏହି ସଂଖ୍ୟା ୨୯ରେ ପହଞ୍ଚିଛି । ଏ ବର୍ଷ ମହମ୍ମଦିଆ ବଜ଼ାର ଏବଂ କାଫଲା ବଜ଼ାର ପୂଜା କମିଟି ମଧ୍ୟ ଚାନ୍ଦି ମେଢ଼ କରୁଛନ୍ତି । ମହମ୍ମଦିଆ ପୂଜା କମିଟି ଦେଢ଼ କ୍ୱିଇଣ୍ଟାଲର ନୂତନ ଚାନ୍ଦି ମେଢ଼ ପ୍ରସ୍ତୁତ କରିଛି । ଆସନ୍ତା ୧୮ ତାରିଖ ଦିନ ଏହାର ସୁଭ ଉଦଘାଟନ ହେବ ବୋଲି କହିଛନ୍ତି ପୂଜା କମିଟି ସଦସ୍ୟ ।

ଏହାରି ଭିତରେ ପୂଜାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ପୂଜା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସହ ବୈଠକ ମଧ୍ୟ ଶେଷ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ଓ ସମସ୍ତ ନିୟମ କାନୁନକୁ ଠିକ ଭାବରେ ମାନି ପ୍ରତ୍ୟେକ ବର୍ଷ ପାରି ଏବର୍ଷ ମଧ୍ୟ ଲୋକମାନେ ଚାନ୍ଦିର ସହର କଟକରେ ପୂଜାର ଉପଭୋଗ କରିପାରିବେ l

Exit mobile version