
ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ ଏସଜେଏସୟୁକେ ଫିନେଷ୍ଟ ଗ୍ରୁପ ସହିତ ଏହାର ସମ୍ପର୍କ ଛିନ୍ନ କରିଥିବା ଜଣାଯାଇଛି। ୟୁରୋପ ମହାଦେଶର ସାଂସ୍କୁତିକ ପ୍ରାଣକେନ୍ଦ୍ର ଲଣ୍ଡନଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ଉଦେଶ୍ୟରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ, ଏକ ଦାତବ୍ୟ ଅନୁଷ୍ଠାନ ଭାବରେ ଗ୍ରେଟ ବ୍ରିଟେନ୍ ସରକାରଙ୍କଠାରେ ପଞ୍ଜିକୃତ ହୋଇଛି ।
୨୦୨୩ ମସିହା ଜାନୁୟାରୀ ମାସରେ ଫିନେଷ୍ଟ ଗ୍ରୁପ ପକ୍ଷରୁ ଲଣ୍ଡନଠାରେ କଥିତ ଜଗନ୍ନାଥ ମନ୍ଦିର ୨୦୨୪ ମସିହା ସୁଦ୍ଧା ପ୍ରତିଷ୍ଠା କରିବା ପାଇଁ ୨୫ ମିଲିୟନ ପାଉଣ୍ଡ ପ୍ରାୟ ୨୫୦ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।
ଫିନେଷ୍ଟ ଗ୍ରୁପର ପ୍ରତିଷ୍ଠାତା ବିଶ୍ୱନାଥ ପଟନାୟକ ୨୦୨୩ ମସିହା ମଇ ମାସରେ ଲଣ୍ଡନଠାରେ ଏକ ସଭାରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ଉପସ୍ଥିତିରେ ସର୍ବସାଧାରଣରେ ଏହି ମର୍ମରେ ଘୋଷଣା କରି ପୂର୍ବ ପ୍ରତିଶ୍ରୁତିକୁ ଦୋହରାଇ ଥିଲେ ।
ଏହି ଧରଣର ବାରମ୍ବାର ଘୋଷଣା ଓ ପ୍ରତିଶ୍ରୁତି ସତ୍ତ୍ୱେ, ଫିନେଷ୍ଟ ଗ୍ରୁପ, ବର୍ତ୍ତମାନ ସୁଦ୍ଧା ଏସଜେଏସୟୁକେକୁ କୌଣସି ପାଣ୍ଠି ହସ୍ତାନ୍ତର କରିନାହାନ୍ତି। ଫଳ ସ୍ଵରୂପ ମନ୍ଦିର ପାଇଁ ଭୂମି ଅଧିଗ୍ରହଣ ଓ ମନ୍ଦିର ନିର୍ମାଣ ନେଇ ଅହେତୁକ ବିଳମ୍ବ ଦେଖାଦେଇଛି ।
ସମୟ କ୍ରମେ ମନ୍ଦିର ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ବିଶେଷ ଆବଶ୍ୟକତା ଥିବାରୁ ଏସଜେଏସୟୁକେ, ନିକଟରେ ଅନୁଷ୍ଠିତ ଏହାର ବୋର୍ଡ଼ ମିଟିଂରେ ଫିନେଷ୍ଟ ଗ୍ରୁପ ସହିତ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇବାକୁ ଆନୁଷ୍ଠାନିକ ଭାବରେ ନିଷ୍ପତ୍ତି ଗ୍ରହଣ କରିଛି । ସୋସାଇଟି ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଫିନେଷ୍ଟ ଗ୍ରୁପ ଓ ଏହାର ପ୍ରତିନିଧିମାନେ ଏସଜେଏସୟୁକେ ସହିତ ସହଭାଗୀତା କିମ୍ବା ଲଣ୍ଡନ ଠାରେ ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ସମ୍ପର୍କରେ ସାର୍ବଜନୀନ ଭାବରେ କୌଣସି ଟିପ୍ପଣୀ ଦେବାକୁ ନିବେଦନ କରାଯାଇଛି। ଏହି ସାମୟିକ ବାଧା ସତ୍ତ୍ୱେ ଏସଜେଏସୟୁକେ, ବିଶ୍ଵର ସାଂସ୍କୁତିକ ରାଜଧାନୀ ଲଣ୍ଡନର ହୃଦପ୍ରଦେଶରେ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଏହାର ପ୍ରତିବଦ୍ଧତାକୁ ସାକାର କରିବା ନେଇ ପ୍ରତିଜ୍ଞାବଦ୍ଧ ଥିବା ଏହି ବିବୃତ୍ତିରେ ଦର୍ଶାଯାଇଛି ।ଉପରୋକ୍ତ ମହତ ଉଦ୍ଦେଶ୍ୟ ସାଧନ ପାଇଁ ସାରା ବିଶ୍ୱର ଓଡ଼ିଶା ପ୍ରେମୀ ଜନସାଧାରଣ ଓ ଶ୍ରୀ ଜଗନ୍ନାଥଙ୍କର ଭକ୍ତଗଣ ମୁକ୍ତ ହସ୍ତରେ ଦାନ କରିବାକୁ ଏସଜେଏସୟୁକେ ତରଫରୁ ଅନୁରୋଧ କରାଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଶେଷ ଆଶୀର୍ବାଦ କ୍ରମେ ଲଣ୍ଡନଠାରେ ବିଶ୍ଵ ଓଡ଼ିଆ ସମ୍ପ୍ରଦାୟର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପେଣ୍ଠସ୍ଥଳୀ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ପରିସର ନିଶ୍ଚିତ ରୂପେ କାର୍ଯ୍ୟ କରିବ ବୋଲି ଏସଜେଏସୟୁକେର ଟ୍ରଷ୍ଟିଗଣ ଦୃଢ଼ ଆଶା ପୋଷଣ କରିଛନ୍ତି ।