Site icon UTKAL PRATIDIN

ମଧ୍ୟପ୍ରଦେଶରେ ହେବ ଶିବ-ହନୁମାନ ଲଢେଇ

966

ଭୋପାଳ:ମଧ୍ୟପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ନବରାତ୍ର ପୂଜା ପୂର୍ବ ଦିନରୁ ଏହି ତାଲିକା ପ୍ରକାଶ ପାଇଛି । ତେବେ ସବୁଠାରୁ ଆଲୋଚନାର ବିଷୟ ହୋଇଛି ବୁଧିନି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ନେଇ । ବୁଧିନି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ତାଙ୍କ ବିରୋଧରେ ଛିଡା ହେବେ ଟିଭିର ହନୁମାନ ଅର୍ଥାତ ବିକ୍ରମ ମସ୍ତାଲ । କଂଗ୍ରେସ ଏହି ଆସନରୁ ବିକ୍ରମଙ୍କୁ ପ୍ରାର୍ଥୀ କରିଛି ।ବିକ୍ରମ ମସ୍ତାଲ ଟିଭି ଧାରାବାହିକ ରାମାୟଣ-୨ରେ ହନୁମାନ ଭୂମିକାରେ ଅଭିନୟ କରୁଥିଲେ । ତେବେ ଏହି ଆସନରୁ ଟିଭି ହନୁମାନଙ୍କୁ ଟିକେଟ ଦେବା ପଛରେ କଂଗ୍ରେସର ରଣନୀତିକୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏଠି କହି ରଖିବୁ, କର୍ଣ୍ଣାଟକ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା, ହନୁମାନଜୀଙ୍କୁ କର୍ଣ୍ଣାଟକ ଫଳାଫଳ ଶୁଣାଇବା ସହ ପଚରା ଯାଉଛି, ‘ପ୍ରଭୁ ଏବେ କ’ଣ ଆଦେଶ ?’  ହନୁମାନଙ୍କୁ ପଚରା ଯାଇଥିବା ଏହି ପ୍ରଶ୍ନ  ଉପରେ ଭଗବାନ ରାମ କହୁଛନ୍ତି, ଏବେ ମଧ୍ୟପ୍ରଦେଶ ଯାଅ ଏବଂ କମଳନାଥଙ୍କ ବିଜୟ ପତାକା ଉଡାଅ । ମଧ୍ୟପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମିଡିଆ ଆଡଭାଇଜର କଂଗ୍ରେସ ତାଲିକା ଜାରି କରିବା ପରେ ପରେ ଏହି ପୁରୁଣା ଭିଡିଓ ଏକ୍ସରେ ପୋଷ୍ଟ କରାଯାଇଛି । ଏଥିସହିତ  ହନୁମାନଜୀ ଅର୍ଥାତ ବିକ୍ରମ ମସ୍ତାଲ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୋଧରେ ଛିଡା ହେବେ ବୋଲି କୁହାଯାଇଛି ।

ବିକ୍ରମ ମସ୍ତାଲଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବିରୋଧରେ ଛିଡା କରି କଂଗ୍ରେସ ମଧ୍ୟ ପ୍ରଦେଶ ନିର୍ବାଚନରେ ହନୁମାନଙ୍କ ଏଣ୍ଟ୍ରି କରାଇଛି । ଏଠି ମନେ ପକେଇ ଦେବାକୁ ଚାହିଁବୁ, କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା କଥା କହିଥିଲା । ହେଲେ ଭାରତୀୟ ଜନତା ପାର୍ଟି ଏହାକୁ ହନୁମାନଙ୍କୁ ଯୋଡିଥିଲା । ଏହା ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି ଆଘାତ ବୋଲି ବିଜେପି ପ୍ରଚାର କରିଥିଲା । ଏହା ପରେ କଂଗ୍ରେସ କ୍ଷମତାକୁ ଆସିବା ପରେ ବିଭିନ୍ନ ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରିବ ବୋଲି ଘୋଷଣା କରିଥିଲା । ଦଳର ଏହି ରଣନୀତି ବି ସଫଳ ହୋଇଥିଲା ଏବଂ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିଥିଲା ।

Exit mobile version