Site icon UTKAL PRATIDIN

ଶାହା ଫେରାଇଲେ ସାହାରା ଜମାକାରୀଙ୍କ ଅର୍ଥ

3

ନୂଆଦିଲ୍ଲୀ : ସମବାୟ ମନ୍ତ୍ରୀ ଅମିତ ଶାହା ସାହାରା ଗ୍ରୁପ୍‌‌ ସମବାୟ ସମିତି ଗୁଡ଼ିକର ଜମାକାରୀମାନଙ୍କ ଅର୍ଥ ସାହାରା ରିଫଣ୍ଡ ପୋର୍ଟାଲ୍‌‌ ମାଧ୍ୟମରେ ଶୁକ୍ରବାର ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବାକୁ ହେଲେ ସମବାୟ ସଂସ୍ଥା ଗୁଡ଼ିକ ଉପରେ ଲୋକମାନଙ୍କର ଆସ୍ଥା ବୃଦ୍ଧି କରିବାକୁ ହେବ। ସେ କହିଛନ୍ତି ଅନେକ ସମୟରେ ଏଭଳି କିଛି ଘଟଣା ଘଟିଥାଏ, ଯାହା ଯୋଗୁଁ ଲୋକମାନଙ୍କର ଆସ୍ଥା ତୁଟି ଯାଇଥାଏ। ଏ କ୍ଷେତ୍ରରେ ଲୋକମାନଙ୍କର ଆସ୍ଥା ଫେରାଇ ଆଣିବା ଦାୟିତ୍ୱ ପ୍ରଶାସନ ଉପରେ ନ୍ୟସ୍ତ। ଏହା ସହିତ ଲୋକମାନଙ୍କର ଜମା ଅର୍ଥକୁ ସେମାନଙ୍କୁ ଫେରାଇବାର ଦାୟିତ୍ୱ ମଧ୍ୟ ପ୍ରଶାସନର।

ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦୀ ସରକାର ସାହାରାର ୪ଟି ଯାକ ସମବାୟର ଅର୍ଥକୁ ଲୋକମାନଙ୍କୁ ଫେରାଇବା ପାଇଁ ସଂକଳ୍ପବଦ୍ଧ। ସେ କହିଛନ୍ତି ଯେତେବେଳେ ସମବାୟ ମନ୍ତ୍ରଣାଳୟ ସ୍ଥାପନ ହେଲା, ଏହା ସମ୍ମୁଖରେ ଅନେକ ସମସ୍ୟା ରହିଥିଲା। ଶ୍ରୀ ଶାହା କହିଛନ୍ତି ସାହାରାର ସମବାୟ ସମିତି ଗୁଡ଼ିକରେ କୋଟି କୋଟି ଲୋକଙ୍କର ଜମାରାଶି ପ୍ରାୟତଃ ବୁଡ଼ିଯାଇଥିଲା। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ଗରିବ ଲୋକଙ୍କ ଅଧିକାର ସୁରକ୍ଷିତ ରହୁ ବୋଲି ବିଶ୍ୱାସ କରନ୍ତି । ତା’ଛଡ଼ା ଲୋକମାନେ ସେମାନଙ୍କର ଅର୍ଥ ଫେରିପାଇବା ମଧ୍ୟ ସେମାନଙ୍କର ଅଧିକାର । ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତ ବର୍ଗକୁ ସମସ୍ତ ସୁବିଧା ଯୋଗାଇଦେବାକୁ କାର୍ଯ୍ୟ କରୁଛନ୍ତି ।

ସେ କହିଛନ୍ତି ସାହାରା ସୋସାଇଟି ଗୁଡ଼ିକରେ ପୁଞ୍ଜି ନିବେଶକାରୀମାନଙ୍କର ବୁଡ଼ିଯାଇଥିବା ଅର୍ଥକୁ ସେମାନଙ୍କୁ ଫେରାଇବାରେ ସମବାୟ ମନ୍ତ୍ରଣାଳୟ ସଫଳତା ହାସଲ କରିଛି । ଆଜି ପ୍ରତ୍ୟେକ ଜମାକାରୀଙ୍କ ଜମା ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ପଠାଯାଇଥିବା ସେ କହିଛନ୍ତି । ସରକାର ଜମାକାରୀ ମାନଙ୍କ ସମସ୍ତ ଅର୍ଥ ଫେରସ୍ତ କରିବାରେ ସଫଳ ହେବେ ବୋଲି ଶ୍ରୀ ଶାହା କହିଛନ୍ତି ।

Exit mobile version