Site icon UTKAL PRATIDIN

ବ୍ରିଜ ଉପରେ ସ୍କୁଟି , କୁଆଡେ ଗଲେ ମମତା ?

mamta

ଅନେକ ମୃତ ବ୍ୟକ୍ତି ଓ ନିଖୋଜଙ୍କ ମୁକ ସାଖି ସାଜିଛି ତ୍ରିଶୂଳିଆ ବ୍ରିଜ । ହଜିଯାଇଥିବା ବ୍ୟକ୍ତି ବ୍ରିଜ ଉପରେ ଛାଡିଯାଆନ୍ତି ପ୍ରମାଣ। ବ୍ରିଜ ଉପରୁ କାହାର ଚପଲ ମିଳେତ ପୁଣି କାହାର ଓଢଣୀ । ବେଳେ ବେଳେ ବ୍ରିଜ ଉପରେ ଥୁଆହୋଇଥିବା ଗାଡି ପୋଲିସକୁ ଅନୁସନ୍ଧାନ କରିବାରେ ସାହାର୍ଯ୍ୟ କରେ । ସେହି ଭଳି ବର୍ତ୍ତମାନ କଟକ ତ୍ରିଶୁଳିଆର ସୁବାଷ ସେତୁ ଉପରେ ଥିବା ସ୍କୁଟିକୁ ନେଇ ସସ୍‌ପେନ୍ସ ବଢିଛି । ଗାଡ଼ି ନମ୍ବର ପ୍ଲେଟରୁ ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି । କିନ୍ତୁ ଏଯାଏଁ ମମତାଙ୍କ ସନ୍ଧାନ ମିଳି ପାରିନି । ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳିପାରୁନି । ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ । ମମତା ନିଜ ବାପାଙ୍କ ଶ୍ରାଦ୍ଧ କାମ ସାରି ସ୍ୱାମୀଙ୍କ ସହ ଘରକୁ ଫେରିଥିଲେ। ମାତ୍ର ପରଦିନ ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ଘରୁ ବାହାରି ଯାଇଥିଲେ । ବାହାରକୁ ଯିବା ବେଳେ ସାଙ୍ଗରେ ସେ ତାଙ୍କର ମୋବାଇଲ ଫୋନ୍‌ ମଧ୍ୟ ନେଇ ନ ଥିଲେ। କିମ୍ବା ଘରେ କାହାକୁ କିଛି ଜଣାଇନଥିଲେ । ଏହାପରେ ସକାଳେ ବ୍ରିଜ ଉପରେ ଏକ ସ୍କୁଟି ଥିବା ସୂଚନା ପାଇଥିଲା ପୁଲିସ୍‌ ।

ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ରିଜ ଉପରେ ଥିବା ମମତାଙ୍କ ଗାଡ଼ିରେ ଚାବି ଲାଗିଥିବା ବେଳେ ପାଖରେ ଚପଲ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ମମତାଙ୍କ ପରିବାର ଲୋକେ ବ୍ରିଜ ଉପରେ ପହଞ୍ଚିଥିବା ବେଳେ ଗାଡ଼ିକୁ ଚିହ୍ନଟ କରିଛନ୍ତି । ମାତ୍ର ଗାଡ଼ି ରଖି ମମତା କେଉଁଆଡ଼େ ଗଲେ ଓ ଏହା ପଛର କାରଣ କ’ଣ ସେ ନେଇ ସେମାନେ କିଛି କହି ପାରୁ ନାହାନ୍ତି । ଅନ୍ୟପଟେ ପୋଲିସ ତାର ତଦନ୍ତ ଜାରି ରଖିଛି । ସେପଟେ ମମତାଙ୍କ ଭାଇ କହିଛନ୍ତି ଯେ ପୂର୍ବ ରାତିରେ ସେ ଭଉଣୀ ସହ କଥା ହୋଇଥିଲେ ଏବଂ ସେଭଳି କୌଣସି ସମସ୍ୟା ଥିବା ନେଇ ସେ ଆମକୁ ଜଣାଇ ନାହିଁ ବୋଲି ମମତାଙ୍କ ଭାଇ କହିଛନ୍ତି । ଅନ୍ୟପଟେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଆରମ୍ଭ ହୋଇଛି।

Exit mobile version