Site icon UTKAL PRATIDIN

ଏସସିବି ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଜଳକଷ୍ଟ!

mcv23393_1539755098phpsNAI59

କଟକ: କଟକ ବଡ଼ ମେଡିକାଲରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବାକୁ ମିଳୁଛି। ବଡ଼ ମେଡିକାଲରେ ବିଦ୍ୟୁତ୍ ସମସ୍ୟା ପରେ ଏବେ ପାଣି ସମସ୍ୟା ପରିଲକ୍ଷିତ ‌ହୋଇଛି। ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି। ଶୌଚାଳୟକୁ ପାଣି ଆସୁନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି। ଆଜି ସକାଳେ କିଛି ୱାର୍ଡକୁ ପାଣି ଆସିଥିଲେ ମଧ୍ୟ ତାହା ଯଥେଷ୍ଟ ହେଉନାହି।

ଏଭଳି ପରିସ୍ଥିତି ଉପୁଜିଥିବାରୁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ଏସସିବି ବାହାରେ ଥିବା ଶୌଚଳାୟାର ନିତ୍ୟକର୍ମ ସାରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଥିବା କୁହାଯାଉଛି। କିନ୍ତୁ ରୋଗୀମାନେ ବିଭିନ୍ନ ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି।

ଏଣେ ୱାଟକୋ ପକ୍ଷରୁ କୁହାଯାଇଛି ଯେ ମେଡିକାଲ ପରିସରରେ ଥିବା ଏକ ପାଇପ୍ ଫାଟିଯାଇଥିବାରୁ ଜଳ ଯୋଗାଣରେ ସମସ୍ୟା ଉପୁଜିଥିଲା। ଉକ୍ତ ପାଇପ୍ ମରାମତି କରାଯିବା ପରେ ଜଳଯୋଗାଣ ସ୍ବାଭାବିକ ହୋଇଛି। ଶନିବାରଠାରୁ କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଦେଖିବାକୁ ମିଳିଥିଲା। ଗତକାଲି ରାତି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିଲା। ବିଭିନ୍ନ ୱାର୍ଡରେ ଲାଇନ୍ ନଥିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ।

Exit mobile version