ନୂଆଦିଲ୍ଲୀ: ୟୁଟ୍ୟବର ରଣବୀର ଆହ୍ଲାବାଦିଆଙ୍କୁ ମିଳିଛି ଏକ ବଡ଼ ଆଶ୍ବସ୍ତି । ଗୋଟିଏ ସର୍ତ୍ତରେ ରଣବୀରଙ୍କୁ ପୁଣି ଥରେ ’ଦି ରଣବୀର ଶୋ’ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଏହି ବିବାଦକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜରି କରି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାକ୍ ସ୍ୱାଧୀନତାର ଅଧିକାର ଏବଂ ଶିଷ୍ଟାଚାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୟୁଟ୍ୟୁବର ରଣବୀର ଆଲବାଦିଆଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ମଧ୍ୟରେ ଡିଜିଟାଲ କଣ୍ଟେଣ୍ଟ ପାଇଁ ମାର୍ଗଦର୍ଶିକା ଆଣିବାକୁ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ଏଥିସହିତ ନ୍ୟାୟାଳୟ ୩୧ ବର୍ଷୀୟ ୟୁଟ୍ୟୁବରଙ୍କୁ ତାଙ୍କର ପୋଡକାଷ୍ଟ୍ ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ଯାହା ବିବାଦ ପରେ ବନ୍ଦ ରହିଥିଲା। ତେବେ ନ୍ୟାୟାଳୟ ରଣବୀରଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ କୁହାଯାଇଛି, ଯେପରି ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମରେ ଶିଷ୍ଟାଚାର ବଜାୟ ରଖିବେ, ଯାହାଦ୍ୱାରା ସମସ୍ତ ବର୍ଗର ଲୋକେ ଏହାକୁ ଦେଖିପାରିବେ।
ବିଅର ବାଇସେପ୍ ନାମରେ ଲୋକପ୍ରିୟ ରଣବୀର ଆଲବାଦିଆ ଗତ ମାସରେ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ଅଶାଳୀନ ମନ୍ତବ୍ୟ ବିବାଦ ଘେରକୁ ଆସିଥିଲେ। ଜଣେ ପ୍ରତିଯୋଗୀଙ୍କୁ ସେ ତାଙ୍କର ଅଭିଭାବକଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏବଂ ତାଙ୍କର ଘୋର ସମାଲୋଚନା କରାଯାଇଥିଲା।