
ନୂଆଦିଲ୍ଲୀ: ସଂସଦରେ ଉଠିଲା ଇନଷ୍ଟାଗ୍ରାମ ରିଲସ କଥା | ରିଲସ କରିଥିବା ବ୍ୟକ୍ତିଙ୍କ ଉପରେ କ୍ଷୁବ୍ଧ ହୋଇ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ପ୍ରଫେସର ରାମଗୋପାଳ ଯାଦବ |
ରାଜ୍ୟସଭାର ଶୁନ୍ୟ କାଳରେ ଇନଷ୍ଟାଗ୍ରାମ ରିଲସ କଥା ଉଠାଇ ସାଂସଦ ରାମଗୋପାଳ ଯାଦବ କହିଥିଲେ, ରିଲସ କଲାବେଳେ ଏମିତି ପୋଷାକ ପିନ୍ଧୁଛନ୍ତି, ତାକୁ ଦେଖିଲେ ମୁଣ୍ଡ ନଇଁ ଯାଉଛି | ସେ କହିଛନ୍ତି, ସମାଜରେ ନଗ୍ନତା ଏବଂ ନିଶା ବ୍ୟବହାର ବଢିଲେ ସଭ୍ୟତା ନଷ୍ଟ ହୋଇଯାଏ | ତେଣୁ ଏହା ଉପରେ ସରକାର କଟକଣା ଆଣିବା ଦରକାର ବୋଲି ସାଂସଦ କହିଛନ୍ତି |
ସାଂସଦ ରାମଗୋପାଳ ଯାଦବ କହିଛନ୍ତି, ଆମ ସମୟରେ ୬ଷ୍ଠ ଶ୍ରେଣୀରୁ ଇଂରାଜୀ ପଢା ଯାଉଥିଲା | ପିଲା କିଛି ଶିଖି ଗଲା ପରେ କୁହ ଯାଉଥିଲା, if character is lost everything is lost | ହେଲେ ଆଜିକାଲି କିଛି ପ୍ଲାଟଫର୍ମ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛନ୍ତି | ଇନଷ୍ଟାଗ୍ରାମ ନାଁ ନେଇ ସେ କହିଥିଲେ, ଅନୁମାନ ଅନୁଯାୟୀ, ଆମ ଯୁବଗୋଷ୍ଠୀ ପ୍ରତିଦିନ ୩ ଘଣ୍ଟା ଇନଷ୍ଟାଗ୍ରାମରେ ରିଲସ ଦେଖୁଛନ୍ତି | ଅରୁଚିକର ସିରିଏଲ, କାର୍ଯ୍ୟକ୍ରମ ଦେଖୁଛନ୍ତି |
ଯାଦବ କହିଛନ୍ତି, ଏକାଠି ବସିବା, ପରିବାର ଲୋକଙ୍କ ସହ ଏକାଠି ବସି ଖାଦ୍ୟ ଖାଇବା ଦ୍ୱାରା ସ୍ନେହ ସମ୍ପର୍କ ବଢିଥାଏ | ହେଲେ ଆଜି ସେସବୁ ଦେଖିବାକୁ ମିଳୁ ନାହିଁ | ଲୋକେ ଏକାଠି ବସୁଛନ୍ତି, କିନ୍ତୁ ନିଜ ନିଜ ଫୋନରେ ବ୍ୟସ୍ତ ରହୁଛନ୍ତି | ଇନଷ୍ଟାଗ୍ରାମରେ ପ୍ରେମ, ବିବାହ ଏବିଂ ହତ୍ୟା ପରି ଘଟଣାର ଦୃଷ୍ଟାନ୍ତ ମଧ୍ୟ ସେ ଦେଇଥିଲେ ? ତେଣୁ ସରକାର ଇନଷ୍ଟା ରିଲସ ସମେତ ସମାଜରେ ନିଶା ଓ ନଗ୍ନତା ବୃଦ୍ଧି କରିଥିବା ପରି ପ୍ଲାଟ୍ଫର୍ମ ଉପରେ କଟକଣା ଲଗାଇବା ନେଇ ଦାବି କରିଥିଲେ |