
ଭୁବନେଶ୍ଵର: ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥ ରୁକୁଣା ରଥ ଭାବରେ ପ୍ରସିଦ୍ଧ। ଦୁରାଚାରୀ ରାକ୍ଷସ ତ୍ରିପୁରାସୁରକୁ ବଦ୍ଧ କରିବା ପାଇଁ ଦେବତାମାନେ ଏହି ରଥକୁ ଭଗବାନ ଶଙ୍କରଙ୍କୁ ପ୍ରଦାନ କରିଥିଲେ। ଏହା ଦେବଦଳନ ରଥ ଭାବରେ ପ୍ରସିଦ୍ଧ। ମହାଶକ୍ତି ଯୋଗମାୟା ମା’ ଦୁର୍ଗାଙ୍କ ଶକ୍ତିରେ ପରିପୂର୍ଣ୍ଣ ଏହି ରଥ ରୁକ୍ମ ରଥ । ମହାମାୟା ହେଉଛନ୍ତି ସ୍ୱର୍ଣ୍ଣବର୍ଣ୍ଣା ଏବଂ ଶକ୍ତିସ୍ୱରୁପିଣୀ ରୁକ୍ମୁଣା। କାଳକ୍ରମେ ଅପଭ୍ରଂଶ ହୋଇ ଏହା ରୁକୁଣା ରଥ ଭାବେ ନାମିତ ଅଟେ।
ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ଗୁଣ୍ଡିଚା ମନ୍ଦିରଠାରେ ଦକ୍ଷିଣ ମୋଡ଼ ନେଇ ପଛକୁ ବୁଲିଥା’ନ୍ତି। କିନ୍ତୁ ରୁକୁଣା ରଥ ପଛକୁ ଘୂରିବା ବିଧି ନାହିଁ। ରାମେଶ୍ୱର ମନ୍ଦିର ନିକଟରେ ଏହି ରଥର ପଛପଟ ଦ୍ୱାରକୁ ଖୋଲିଦିଆଯାଏ ଏବଂ ରଥ ଉପରେ ସିଂହାସନକୁ ଘୂରାଇ ଦିଆଯାଏ। ତେଣୁ ରଥର ପଛଦ୍ବାର ଏମିତିରେ ସମ୍ମୁଖ ଦ୍ବାର ହୋଇଯାଏ ଏବଂ ବାହୁଡ଼ା ଦିନ ଏଠାରେ ଚାରି ଅଶ୍ବଙ୍କୁ ଯୋଚାଯିବା ପରେ ରଥ ଗଡ଼େ। ଏହି ରଥର ନିର୍ମାଣ ଶୈଳୀ ସେମିତି କରାଯାଇଥାଏ। ସେଥିପାଇଁ ଏହାକୁ ଅଣଲେଉଟା ରଥ ବୋଲି କୁହାଯାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୁକୁଣା ରଥରେ ସାରଥୀ ଭାବେ ‘ବ୍ରହ୍ମା’ ବିରାଜମାନ କରିଥା’ନ୍ତି। ଏହି ରଥର ଉଚ୍ଚତା ୩୫ ଫୁଟ୍ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ । ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା । ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ । ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ । ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ସଦାଶିବ (ଲିଙ୍ଗରାଜ), ଦେବୀ ରୁକୁଣା ବା ଗୋପାଳୁଣୀ (ଦୂର୍ଗା) ଯେ ମୂଳ ପାର୍ବତୀ ଅଟନ୍ତି ଏବଂ ସ୍କନ୍ଦଙ୍କୁ ଧରିକି ରାମେଶ୍ବର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ । କିନ୍ତୁ କାଳ କ୍ରମେ ମନ୍ଦିର ଅବହେଳା ହେଇଥିବାରୁ ଆଉ ବୈଷ୍ଣବ ପ୍ରଭାବ ବଢିବାରୁ ସ୍କନ୍ଦଙ୍କ ମୂର୍ତ୍ତି ଚୋରି ହେଇଗଲା ଆଉ ବର୍ତ୍ତମାନ ଦୋଳଗୋବିନ୍ଦ ଯାଇଛନ୍ତି ।
ଭକ୍ତଙ୍କ ମନୋବଞ୍ଛା ପୁରା କରିବା ପାଇଁ ଆଉ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି । ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି । ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି । ଏହି ଯାତ୍ରା ଆରମ୍ଭରେ ଯୋଉ ରଥ ଯାଏ ସେଇୟା ତ୍ରିପୁରା ବିଜୟୀ ରଥ। ଶିବ ତ୍ରିପୁରାସୁରକୁ ବଧ କରିବା ପାଇଁ ଯୋଉ ରଥରେ ଗମନ କରିଥିଲେ ସେଇ ରଥକୁ ଅନୁକରଣ କରିକି ଏଇ ରଥ ନିର୍ମାଣ କରା ଯାଏ ଏବଂ ରଥର ବିଭିନ୍ନ ଅଂଶରେ ବିଭିନ୍ନ ଦେବତାଙ୍କୁ ନ୍ୟାସ କରାଯାଏ ।