Site icon UTKAL PRATIDIN

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ, ଜାଣନ୍ତୁ ମରିଚି କୁଣ୍ଡ ପାଣିର ରହସ୍ୟ

5c3f109f9d19e-Ashokastami Festival Places to See

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି।

ଚୈତ୍ର ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ସେ ଦିନ ବଲ୍ଲଭ ଧୂପ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୋଳଗୋବିନ୍ଦ ଓ ଦେବୀ ଭୁବନେଶ୍ବରୀ ମୁଖ୍ୟ ମନ୍ଦିରରେ ମହାପ୍ରଭୁଙ୍କ ଭେଟ ଆଳତୀ ପରେ ଆଜ୍ଞାମାଳ ନେଇ ପହଣ୍ଡି ବିଜେ କରନ୍ତି । ନାଟମଣ୍ଡପର ଦକ୍ଷିଣ ଦ୍ବାରଠାରେ ବିଭିଷଣ ଆଳତୀ ପରେ ବିଗ୍ରହ ତ୍ରୟ ଗୋଟିଏ ଥର ମନ୍ଦିର ପରିକ୍ରମା କରନ୍ତି । ବାଇଶ ପାହାଚରୁ ଓହ୍ଲାଇବା ପରେ ସିଦ୍ଧି ବିନାୟକ ସମ୍ମୁଖରେ ମହାପ୍ରଭୁଙ୍କ ପକ୍ଷରୁ ନଡ଼ିଆ ଭଙ୍ଗା ଯାଇଥାଏ । ଘଣ୍ଟା, ଘଣ୍ଟ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ପହଣ୍ଡି ବିଜେ କରି ରଥଖଳାରେ ପହଞ୍ଚିବା ପରେ ମହାପ୍ରଭୁ ତିନି ଥର ରଥ ପରିକ୍ରମା କରିଥାନ୍ତି ।

ତତ୍ପରେ ଚାରମାଳ ଆରୋହଣ କରି ରଥ ଉପରେ ପୁଣି ତିନି ଥର ପରିକ୍ରମା କରି ସିହାଂସନରେ ଉପବେଶନ କରନ୍ତି । ପରେ ପରେ ଠାକୁରମାନଙ୍କୁ ଫୁଲ ଟାହିଆ ଲାଗି କରାଯାଇଥାଏ । ପରେ ଚାରି ଚକ ପୂଜା, ଘୋଡା ପୂଜା, ଦିଗପାଳଙ୍କୁ ପୂଜା, ପରେ ରଥରେ ମହାପାତ୍ର ଉପାଧିଧାରୀ ବ୍ରାହ୍ମଣ ସେବାୟତମାନଙ୍କ ଦ୍ବାରା ଚନ୍ଦନ ଛେରା ପକାଯାଇଥାଏ । ଏଠାରେ କିନ୍ତୁ ପହଁରାର ବିଧି ନାହିଁ । ଯାତ୍ରା ସମୟରେ ଶଙ୍କରାଚାର୍ଯ୍ୟ ମଠ ଓ ଗୋପାଳବଲ୍ଲଭ ମଠ ପକ୍ଷରୁ ମହାପ୍ରଭୁଙ୍କ ପଂକ୍ତି ଭୋଗ ଅର୍ପଣ କରାଯାଇଥାଏ । ଲିଙ୍ଗରାଜ ମହାପ୍ରଭୁଙ୍କର ଏହି ଯାତ୍ରା ପଞ୍ଚଦିନାତ୍ମକ । ଚୈତ୍ର ଶୁକ୍ଲ ଦ୍ବାଦଶୀରେ ମହାପ୍ରଭୁ ବାହୁଡା ବିଜେ କରିଥାନ୍ତି ।

ମରିଚି କୁଣ୍ଡ ପାଣିର ରହସ୍ୟ

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣେ ଥିବା ମରିଚି କୁଣ୍ଡରେ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣା ରଥକୁ ପୂଜା କରାଯାଏ। ରଥ ପୂଜା ପାଇଁ ଏହି ମରିଚି କୁଣ୍ଡ ପାଣିକୁ ନିଆ ଯାଇଥାଏ।

ଏହି ପାଣି ରଥ ପୂଜା ପାଇଁ ନେବା ପରେ ବନ୍ଧ୍ୟାନାରୀମାନଙ୍କୁ ପାଣି କଳସ ପ୍ରଦାନ କରାଯାଇଥାଏ। ସେଥିପାଇଁ ମୁକ୍ତେଶ୍ବର ମନ୍ଦିର କମିଟ ଏହି ପାଣିକୁ ନିଲାମ କରିଥାନ୍ତି। ଅଶୋକାଷ୍ଟମୀ ରାତିରୁ ବିଭିନ୍ନ ସ୍ଥାନରୁ ନାରୀମାନେ ଏହି ପାଣିରେ ସ୍ନାନ କରି ସନ୍ତାନ ପ୍ରାପ୍ତି ଆଶାରେ ଆସିଥାନ୍ତି। ପ୍ରଥମ କଳ ପାଇଁ ପାଣିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏହାପରେ ଅନ୍ୟମାନେ ମଧ୍ୟ ନିଲାମ ଧରି ଏହି କଳସ ପାଣି ନେଇ ସ୍ନାନ କରିଥାନ୍ତି।

Exit mobile version