Site icon UTKAL PRATIDIN

ଜୁନ୍‌ ୬ରେ ରୁକ୍ମିଣୀ ହରଣ ଏକାଦଶୀ: ରୁକ୍ମିଣୀଙ୍କୁ ବିବାହ କରିବେ ଶ୍ରୀକୃଷ୍ଣ, କଣ କୁହେ ପୁରାଣ

WhatsApp Image 2025-05-29 at 1.35.38 PM

ଭୁବନେଶ୍ଵର: ଆସନ୍ତା  ଏକାଦଶୀରେ ମହାପ୍ରଭୁଙ୍କ ବାହାଘର । ମଝିରେ ରହିଲା ଆଉ ମାତ୍ର ଏକ  ସପ୍ତାହ । ଜୁନ୍‌ ୬ ତାରିଖ ଶୁକ୍ରବାର ଠାକୁରେ ରୁକ୍ମିଣୀଙ୍କୁ ବିବାହ କରିବେ । ଏଣୁ ବାହାଘର ପୂର୍ବରୁ ଠାକୁରଙ୍କ ଶ୍ରୀମୁଖ ସିଂହାର ବିଧି ସମ୍ପନ୍ନ ହୋଇଛି । ବିବାହ ତଥା ଅଣସର ଆରମ୍ଭ ପୂର୍ବରୁ ଏହା ହେଉଛି  ଠାକୁରଙ୍କ ଶେଷ ବନକଲାଗି । ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ ହୋଇଥାଏ । ଏହି ଦିନ ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀ ମଦନମୋହନ ବେଶ କରାଯାଇଥାଏ । ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ପ୍ରଦାନ କରିବା ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚ ଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି ।

ଏହାପରେ ବିମାନ ବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି । ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀ ପଞ୍ଚାମୃତରେ ମହାସ୍ନାନ ହୋଇ ମାଜଣା ଓ ବନକ ଲାଗି, ଅଳଙ୍କାର ଲାଗି ହୋଇଥାନ୍ତି । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ଭିତରଚ୍ଛ ମହାପାତ୍ର ତାଳପତ୍ର ଓ ଲେଖନୀକୁ ଶ୍ରୀଦେବୀଙ୍କର ଶ୍ରୀହସ୍ତ ଛୁଆଇଁ ତଢ଼ାଉକରଣକୁ ଦେବାରେ ସେ ଚିଟାଉ ଲେଖିଥାନ୍ତି । ଏହାପରେ ଭିତରଚ୍ଛ ମହାପାତ୍ର ଏହି ଚିଟାଉ ନେଇ ଚନ୍ଦନରେ ଶ୍ରୀଦେବୀଙ୍କ ଶ୍ରୀହସ୍ତ ମୁଦ କରାଇବା ପରେ ବିପ୍ର ବ୍ରାହ୍ମଣ (ଜନୈକ ସେବକ) ଚିଟାଉ ନେଇ ଘଣ୍ଟ ଛତା, କାହାଳୀ ସହ ଜୟବିଜୟ ଦ୍ବାର ନିକଟକୁ ଯାଇଥାନ୍ତି । ଭୋଗମଣ୍ଡପ ଶେଷ ହେବା ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀମଦନମୋହନ ଜୟବିଜୟ ଦ୍ବାର ନିକଟରେ ବିଜେ କରିଥାନ୍ତି । ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ । ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖାଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି । ଏହି ସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନ ଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି ।

ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ମା’ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀମଦନମୋହନ ଶ୍ରୀଦେବୀଙ୍କୁ (ରୁକ୍ମିଣୀ) ହରଣ କରିଥାନ୍ତି । ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ । ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ବତୀଙ୍କ ମନ୍ଦିର ନିକଟରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି । ତତ୍ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପ ଠାରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ । ଏହାପରେ ରତ୍ନସିଂହାସନ ତଳେ ପାଣି ପଡ଼ି ଧୋ-ପଖାଳ ହୋଇ ଯାତଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହୋଇଥାଏ । ଏହାପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ବଢି ମହାସ୍ନାନ ପୂର୍ବକ ନୂଆ ଲୁଗା ଲାଗି, ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ । ପୂଜାପଣ୍ଡା ସେବକମାନଙ୍କ ଦ୍ବାରା ସମ୍ପାଦିତ ଏହି ବିବାହ ନୀତି ଶେଷ ହେବାପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । ଏହିପରି ଭାବେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଓ ବିବାହତ୍ସବ ପାଳିତ ହୋଇଥାଏ । 

କଣ କୁହେ ପୁରାଣ

ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ। ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ। ଶ୍ରୀକୃଷ୍ଣଙ୍କ ରୁପଗୁଣର ବର୍ଣ୍ଣନା ଶୁଣି ରୁକ୍ମଣୀ ତାଙ୍କୁ ନଦେଖି ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟା ହେଲେ ଏବଂ ମନେ ମନେ କୃଷ୍ଣଙ୍କୁ ପତିରୂପେ ବରଣ କଲେ। ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ ପ୍ରତି ଆସକ୍ତ ଥିଲେ। ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ୱାରିକା ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତା ତଥା ବିଦର୍ଭର ରାଜା ଭୀଷ୍ମକଙ୍କୁ ଅନୁଗ୍ରହ କଲେ। ପିତା ଭୀଷ୍ମକ ରାଜି ଥିଲେ ମଧ୍ୟ ଭୀଷ୍ମକଙ୍କ ପୁତ୍ର ତଥା ରୁକ୍ମିଣୀଙ୍କ ଭାଇ ରାଜକୁମାର ରୁକ୍ମୀ ଏହାକୁ ବିରୋଧ କଲେ। ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ। ଶିଶୁପାଳଙ୍କ ସହିତ ବିବାହ ସ୍ଥିର ହେଉଥିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ପ୍ରେମପତ୍ର ପଠାଇ ତାଙ୍କୁ ନେଇଯିବା ପାଇଁ ନିବେଦନ କଲେ। ଏଣେ, ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବା ପାଇଁ ନିର୍ଦ୍ଧାରିତ ତିଥି ଅନୁଯାୟୀ ବିଦର୍ଭ ନଗରରେ ବର ବେଶରେ ଉପସ୍ଥିତ ହେଲେ। କିନ୍ତୁ, ଶ୍ରୀକୃଷ୍ଣ ବଳରାମଙ୍କ ସହିତ ବିଦର୍ଭରେ ପହଞ୍ଚିଲେ। ଶିଶୁପାଳଙ୍କ ସମେତ ବିବାହ ଉପଲକ୍ଷେ ସମାଗତ ଜରାସନ୍ଧ ଆଦି ରାଜଗଣ ଶ୍ରୀକୃଷ୍ଣଙ୍କୁ ବାଧା ପ୍ରଦାନ କରିବାକୁ ଚେଷ୍ଟା କଲେ। କିନ୍ତୁ, ଶ୍ରୀକୃଷ୍ଣ ଏବଂ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମଣୀଙ୍କୁ ବଳପୂର୍ବକ ହରଣ କରିନେଲେ। ଶିଶୁପାଳ ଲଜ୍ଜିତ ହୋଇ ପ୍ରତ୍ୟାବର୍ତ୍ତନ କଲେ। ରୁକ୍ମଣୀଙ୍କୁ ଘେନି ଶ୍ରୀକୃଷ୍ଣ ଦ୍ୱାରକାରେ ପହଞ୍ଚିଲେ। ଏହାପରେ ରୁକ୍ମଣୀଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କର ବିବାହ ସମ୍ପାଦିତ ହେଲା।

Exit mobile version