ଭୁବନେଶ୍ଵର: ଅବସରପ୍ରାପ୍ତ ଆଇଏଏସ ଅଫିସର ମନୋଜ କୁମାର ପରିଡା ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଅବସରପ୍ରାପ୍ତ ଆଇପିଏସ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ୧୫ର ସବ-ସେକ୍ସନ (୩) ଅଧିନରେ ମନୋଜଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।
ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଏ ବାବଦରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତ ୨୦୦୫ ମସିହା ଅକ୍ଟୋବର ମାସରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୋଟିଫିକେସନ ନ. ୪୯୫/ ୨୦୦୫ରେ ଓଡ଼ିଶା ସୂଚନା କମିଶନ ଗଠନ କରାଯାଇଥିଲା । ପରେ ଉକ୍ତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ କମିଶନ କାର୍ଯ୍ୟକ୍ଷମ ହୋଇଥିଲା ।
ରାଜ୍ୟ ସୂଚନା କମିଶନ ପାଇଁ ରାଜ୍ୟ ସରକାର ଜଣେ ମୁଖ୍ୟ ସୂଚନା କମିଶନର ଓ ୩ ଜଣ ସୂଚନା କମିଶନରଙ୍କୁ ନିଯୁକ୍ତି ଦେଇଥାନ୍ତି । ରାଜ୍ୟ କମିଶନ, ସୂଚନା ଅଧିକାର ଅଧିନିୟମ ଧାରା-୧୮ ଅନୁଯାୟୀ ଅଭିଯୋଗଗୁଡ଼ିକ ଗ୍ରହଣ କରିଥାନ୍ତି । ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ନିକଟର ଅଭିଯୋଗ ପେଶ୍ କରାଯାଏ । ସେ ତାଙ୍କର କ୍ଷମତା ବଳରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ସାଧାରଣ ଭାବେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଗୃହୀତ ହୋଇଥିବା ଅଭିଯୋଗ ସମ୍ପର୍କରେ ସରକାରୀ କର୍ତ୍ତୃପକ୍ଷଙ୍କ ଠାରୁ ମତାମତ ଗ୍ରହଣ କରିଥାନ୍ତି । ଏଥିସହିତ ଆଇନ ବ୍ୟବସ୍ଥା ଅନୁସାରେ ଏକ ଉପଯୁକ୍ତ ସୁଦ୍ଧାନ୍ତରେ ପହଞ୍ଚାଇଥାନ୍ତି ।