Site icon UTKAL PRATIDIN

ପ୍ରେମ ଦିବସରେ କଳା ଦିବସ; ଦେଶ ହରାଇଥିଲା ୪୪ ବୀରପୁତ୍ର

CRPF-personnel-who-lost-their-lives-in-a-terror-attack-on-their-convoy-in-Pulwama-on-February-14-in-2019.-620x349

ନୂଆଦିଲ୍ଲୀ: ସେଦିନ ଥିଲା ୨୦୧୯ ମସିହା ଫେବୃଆରୀ ୧୪ ତାରିଖ ସମୟ ୩.୩୦ ମିନିଟ୍ । ଚାରିଆଡେ ଚାଲିଥିଲା ପ୍ରେମ ଦିବସର ଉତ୍ସାହ । କିନ୍ତୁ ଅଚାନକ ଏପରି ଏକ ଖବର ଆସିଲା ଯାହା ପାଦ ତଳୁ ମାଟି ଖସାଇ ଦେଇଥିଲା । ଜମ୍ମୁର ପୁଲୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀ ଆକ୍ରମଣରେ ୪୪ ବୀର ଯବାନ ଶହୀଦ ହୋଇଯାଇଥିଲେ । ସାରା ଦେଶ ପାଇଁ ସେହି ଦିନ ପାଲଟିଗଲା କଳା ଦିନ । ପ୍ରେମର ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଏ ଖବର ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଆଜି ସେହି ଭୟଙ୍କର ପୁଲୱାମା ଆତଙ୍କୀ ଆକ୍ରମଣକୁ ୬ ବର୍ଷ ପୂରଣ ହୋଇଛି । ଦେଶମାତୃକାର ସେବାରେ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ଝୁରୁଛି ଦେଶ । ବୀଭତ୍ସ ଆଉ ଅଭିଶପ୍ତ ଦିନ ଆଜି ବି ମନରୁ ଲିଭିନି । ଏବେ ବି ବୀରପୁତ୍ରକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି ।

ସିଆରପିଏଫ ୧୮୦ ବାଟାଲିଅନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତରିତ ହେଉଥିଲେ । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ୍ ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ ଟାଟା ସୁମୋ ସେନା ବସକୁ ଧକ୍କା ଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରାଜରାସ୍ତା ରକ୍ତରଞ୍ଜିତ ହେବା ସହିତ ୪୪ ଜଣ ବୀର ଯବାନ ଶହୀଦ ହୋଇଥିଲେ । ଶହୀଦ ହୋଇଥିବା ୪୪ ଜଣ ବୀରପୁତ୍ରଙ୍କ ମଧ୍ୟରେ ଥିଲେ ଦୁଇ ଜଣ ଓଡ଼ିଆ ଯବାନ । ଆଜି ବି ବୀର ଯବାନ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ପରିବାର ।

ସେପଟେ କିନ୍ତୁ ଶହୀଦ ଯବାନଙ୍କ ତ୍ୟାଗର ଉଚିତ ଜବାବ ଦେବା ପାଇଁ ଶତ୍ରୁ ପକ୍ଷ ବିରୋଧରେ ଏକ ବଡ଼ ଆକ୍ରମଣର ଯୋଜନା ରଚିଥିଲା ଭାରତ । ବାୟୁସେନା ଆକାଶ ମାର୍ଗରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପ୍ରବେଶ କରିଥିବା ବେଳେ ସିଆରପିଏଫ ଯବାନ ସ୍ଥଳ ମାର୍ଗରେ ଅତି ଚତୁରତାର ସହିତ ଶତ୍ରୁଘରକୁ ପ୍ରବେଶ କରିଥିଲେ । ଯୋଜନାବଦ୍ଧ ଭାବେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀକୁ ଧ୍ବଂସ କରି ଦେଇ ଏହି ଦିନ ବିଜୟର ବାନା ଉଡାଇଥିଲେ ଭାରତୀୟ ଯବାନ । ଘଟଣାର ୧୨ ଦିନ ପରେ ଅର୍ଥାତ୍ ୨୦୧୯ ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ଶିବିର ଉପରେ ଏହି ଏୟାର ଷ୍ଟ୍ରାଇକ୍ କରି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଥିଲା ଭାରତ।

ତେବେ ୧୯୭୧ ଇଣ୍ଡୋ-ପାକ୍ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ LOC ଅତିକ୍ରମ କରିଥିଲା ଭାରତ । ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଭିତରେ ବାଲାକୋଟରେ ଜୈଶ-ଇ-ମହମ୍ମଦ ତାଲିମ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା ଭାରତ । ୧୯୮୯ ପରଠାରୁ ଭାରତୀୟ ସେନାବାହିନୀ ଉପରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ଥିଲା । ଭାରତର ଏହି ସାହସିକତାପୂର୍ଣ୍ଣ ଏୟାର ଷ୍ଟ୍ରାଇକରେ ଜୀବନ ହରାଇଥିଲେ ୩୦୦ ଆତଙ୍କବାଦୀ । ଭାରତୀୟ ବାୟୁସେନା ପ୍ରାୟ ୧୦୦୦ କିଲୋଗ୍ରାମ ବିସ୍ଫୋରକ ପକାଇ ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ୱଂସ କରିଥିଲା।

Exit mobile version