
କେରଳର ୱାୟନାଡ଼ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ସାରା ବିଶ୍ବରେ ଚହଳ ପକାଇଛି କେରଳ ଖବର । ଉଦ୍ଧାର କାର୍ଯ୍ୟରେ ଯଥା ସମ୍ଭବ ପ୍ରୟାସ ଲଗାଇଛନ୍ତି ସରକାର । ଅନପଟେ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । କାରଣ ମାଟିତଳେ ପୋତିହୋଇ ରହିଥିବା ଜୀବନକୁ ଉଦ୍ଧାର କରିବାରେ ବିଭିନ୍ନ ପ୍ରକାରର ବାଧା ଉପୁଜିଛି । ତଥାପି ମଧ୍ୟ ମେସିନାରି ଓ ମାନବ ସମ୍ଭଳ ଦ୍ବାରା ଯେତେ ଦୂର ସମ୍ଭବ ପ୍ରୟାସ ଜାରି ରଖିଛନ୍ତି ସେନା ।
ଚତୁର୍ଥ ଦିନରେ ଗୋଟିଏ ପରିବାରର ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଚୁରାଲମାଲାଠାରୁ ୩ କିମି ଦୂର ପଦଭେଟ୍ଟିକୁନ୍ନୁ ନାମକ ଏକ ସ୍ଥାନରେ ଘରର ଭଗ୍ନାବଶେଷ ମଧ୍ୟରୁ ସେମାନଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସେମାନଙ୍କ ଘର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନେ ୪ ଦିନ ଧରି ଅତଡ଼ା ଭିତରେ ଫସି ରହିଥିଲେ । ତେବେସେନା ପକ୍ଷରୁ ମାଟିତଳୁ ଜୀବନ ଖୋଜିବାପାଇଁ ଥର୍ମାଲ ସ୍କାନର ବ୍ୟବହାର କରାଯାଉଛି । ଥର୍ମାଲ ସ୍କାନର ଓ ଅନ୍ୟ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି । ‘
ବ୍ୟାପକ ଅଂଚଳର ଧ୍ବଂସସ୍ତୂପ ଭିତରେ ଜୀବନ ଖୋଜୁଛି ଥର୍ମାଲ ସ୍କାନର । ଭୁସ୍ଖଳନ ସ୍ଥଳରେ ଯେଉଁଠାରୁ ସିଗନାଲ୍ ମିଳୁଛି ସେଠି ସେନା ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଉଛି । ୱାୟନାଡ଼ର ୬ଟି ଜୋନ୍ରେ ୪୦ଟି ସର୍ଚ୍ଚ ଟିମ୍ ଏହି ଅପରେସନ୍ରେ ନିୟୋଜିତ ହୋଇଛନ୍ତି’ ବୋଲି ଉଦ୍ଧାର ଅଭିଯାନର ଜଣେ କମାଣ୍ଡିଂ ଅଫିସର୍ କହିଛନ୍ତି। ୱାୟନାଡ଼ର ୬ଟି ଜୋନ୍ରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର ଅଭିଯାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେରଳ ସବ୍ ଏରିଆ ମେଜର ଜେନେରାଲ୍ ଭିଟି ମାଥ୍ୟୁ ଚୁରାଲମାଲା ଏବେ ଉଦ୍ଧାର ଅଭିଯାନ ଦାୟିତ୍ବରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଭୂସ୍ଖଳନ କ୍ଷତିଗ୍ରସ୍ତ ଅଞ୍ଚଳ ୱାୟନାଡ଼ ଯାଇ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି । କିଛି ସ୍ଥାନରେ ରାସ୍ତା ଏବଂ ପୋଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏବଂ ଅନ୍ୟ କିଛି ସ୍ଥାନରେ ଉପକରଣର ଅଭାବ ରହୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି। ଉଦ୍ଧାର ଅପରେସନ୍ରେ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାର ୧୩୦୦ରୁ ଅଧିକ ସଦସ୍ୟ ମୁତୟନ ହୋଇଛନ୍ତି। ଜିଲ୍ଲାରେ ୯୧ଟି ରିଲିଫ୍ ଶିବିରରେ ୯,୩୨୮ ଲୋକଙ୍କୁ ଥଇଥାନ କରାଯାଇଛି।