ନୂଆଦିଲ୍ଲୀ: ଆମେ ପ୍ରଭୁ ହନୁମାନଙ୍କର ସେହି ଆଦର୍ଶକୁ ପାଳନ କରିଛୁ, ଯାହା ସେ ଅଶୋକ ବାଟିକା ଉଜାଡ଼ିବା ସମୟରେ କରିଥିଲେ ‘ଜିନ୍ ମୋହି ମାରା, ତିନ୍ ମୋହି ମାରେ’ । ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବା ପରେ କିଛି ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି ଆମେ କେବଳ ସେହିମାନଙ୍କୁ ମାରିଛୁ ଯେଉଁମାନେ ଆମ ନିରୀହ ଲୋକଙ୍କୁ ମାରିଛନ୍ତି । ରାଜନାଥ ସିଂ ରାମଚରିତମାନସର ଚୌପାଇକୁ ଆଧାର କରି ଭାରତର ଚିନ୍ତାଧାରାକୁ ସ୍ପଷ୍ଟ କରିଛନ୍ତି ।
ରାମଚରିତମାନସର ସୁନ୍ଦରକାଣ୍ଡରେ ପ୍ରଭୁ ହନୁମାନ କହିଥିଲେ, ଯେଉଁମାନେ ମୋତେ ମାରିଲେ, ମୁଁ ସେମାନଙ୍କୁ ମଧ୍ୟ ମାରିଲି । ତୁମ ପୁତ୍ର ମୋତେ ବାନ୍ଧିଲା କିନ୍ତୁ ମୁଁ ବନ୍ଧା ହେବାରେ ଲଜ୍ଜିତ ନୁହେଁ । ମୁଁ ତ କେବଳ ମୋ ପ୍ରଭୁଙ୍କ କାର୍ଯ୍ୟ କରୁଛି । ସେହିପରି ରାଜନାଥ ସିଂହ ଭାରତର ସାମରିକ ଦର୍ଶନକୁ ହନୁମାନଙ୍କ ନୀତି ସହ ତୁଳନା କରି କହିଛନ୍ତି, “ଆମେ କେବଳ ସେମାନଙ୍କୁ ଆଟାକ୍ କରିଛୁ, ଯେଉଁମାନେ ଆମର ନିରୀହ ନାଗରିକମାନଙ୍କୁ ହତ୍ୟା କରିଛନ୍ତି।” ଏହା ସ୍ପଷ୍ଟ କରୁଛି ଯେ, ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଆତଙ୍କବାଦ ପ୍ରତି ‘ଜିରୋ ଟଲେରାନ୍ସ’ ନୀତି ଅବଲମ୍ବନ କରେ। ଏହି ଅଭିଯାନରେ ଭାରତୀୟ ସେନା କୌଣସି ପାକିସ୍ତାନୀ ନାଗରିକ କିମ୍ବା ସୈନ୍ୟ ପ୍ରତିଷ୍ଠାନକୁ ଆଟାକ୍ କରିନାହିଁ। କେବଳ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଓ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ଶିବିରଗୁଡ଼ିକୁ ହିଁ ଟାର୍ଗେଟ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ଭାରତୀୟ ସେନା ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିଛି। ଆମେ ଯେଉଁ ଟାର୍ଗେଟ୍ ସ୍ଥିର କରିଥିଲୁ, ତାହା ଯୋଜନାବଦ୍ଧ ଯୋଜନା ଅନୁଯାୟୀ ସଠିକତାର ସହିତ ଧ୍ୱଂସ କରାଯାଇଛି। କୌଣସି ସାଧାରଣ ନାଗରିକ ରହୁଥିବା ସ୍ଥାନକୁ ଟାର୍ଗେଟ କରାଯାଇ ନାହିଁ। ଏହାର ଅର୍ଥ ହେଉଛି ସେନା ଏକ ପ୍ରକାର ସଠିକତା, ସତର୍କତା ଏବଂ ମାନବିକତା ଦେଖାଇଛି।” ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି । ଆତଙ୍କୀଙ୍କୁ ନିପାତ କରାଯାଇଛି । ଯେଉଁ ସ୍ଥାନରେ ଆତଙ୍କୀମାନେ ଟ୍ରେନିଂ ନେଉଥିଲେ, ଯେଉଁସ୍ଥାନରେ ଆତଙ୍କୀ କ୍ୟାମ୍ପ ରହିଥିଲା, ସେହି ସ୍ଥାନ ଉପରେ ଆକ୍ରମଣ କରିଛି ଭାରତୀୟ ସେନା । ଆଉ ସେଠାରେ ଉପସ୍ଥିତ ଆତଙ୍କୀଙ୍କୁ ନିପାତ କରିଛି । ଏହି ଆକ୍ରମଣ କରି ସେନେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

