
ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି। ୨୦୧୭-୧୮ ମସିହାରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି। ଆୟ ଏହାଠାରୁ ଅଧିକ ବି ହୋଇପାରେ। ଅଡିଟ୍ ହେଲେ ଜଣାପଡିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଛନ୍ତି। କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ଦୁଇ ଜଣ ବିଡିଓ କହିଛନ୍ତି। ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଛି। ପଚାରିବାରୁ ଜାଣିଲୁ ଜିଏମ୍ଆଇଏଲ୍ କୁ କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ହୋଇଛି। ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି।
ତେବେ କହିରଖୁଛୁ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଅନିୟମିତତା ଘଟଣାରେ ଏସ୍ଟିଏଫ୍ ଓ ଇଓଡବ୍ଲ୍ୟୁ କିଛି ଦିନ ଧରି ବିଜେଡି ନେତା ରାଜା ଚକ୍ରଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ରାଜାଙ୍କ ଘର ଏବଂ କିଛି ବ୍ୟାବସାୟିକ ପ୍ରତିଷ୍ଠାନ ସମେତ କେନ୍ଦୁଝରସ୍ଥିତ ରାଜାଙ୍କ ଘରେ ଇଓଡବ୍ଲ୍ୟୁର ଜଣେ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ଗଠିତ ଟିମ୍ ଚଢ଼ଉ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ । ସେହିପରି କେନ୍ଦୁଝର ସହରରେ ଥିବା ଶଙ୍କର ମିନେରାଲ୍ ଅଫିସରେ ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେପଟେ ଶନିବାର ପୂର୍ବାହ୍ଣରେ ଗୁଆଲିସ୍ଥିତ ଜେଏସ୍ଡବ୍ଲ୍ୟ ଖଣିରେ ରୁଗୁଡ଼ି ପୁଲିସ ଉପସ୍ଥିତିରେ ଇଓଡବ୍ଲ୍ୟୁ ଚଢ଼ଉ କରିଥିଲା । ସେଠାରେ ରାଜାଙ୍କ ମାଲିକାନାରେ ଥିବା ଦୁଇଟି ସ୍କ୍ରିନିଂ ପ୍ଲାଣ୍ଟ ଓ ଗୋଟିଏ ପୋକ୍ଲିନ୍ ମେସିନ୍ ଜବତ କରାଯାଇଥିବା ସୂଚନା ମିଳିଥିଲା । ଏହି ଘଟଣାରେ ଗତ ଦୁଇଦିନ ଧରି ରାଜା ଚକ୍ରଙ୍କ ସହଯୋଗୀ ପ୍ରଭାତ ପଟ୍ଟନାୟକ ଓ ସୁଶାନ୍ତ ସାମଲଙ୍କୁ ଜେରା କରାଯାଇଥିଲା । ହେଲେ ରାଜା ଏଥିରେ ସହଯୋଗ କରୁନଥିବା ଅଭିଯୋଗ କରିଥିଲା କ୍ରାଇମବ୍ରାଞ୍ଚ ।
ଗତ ଦୁଇ ସପ୍ତାହ ଧରି ଇଓଡବ୍ଲ୍ୟୁ ଓ ଏସ୍ଟିଏଫ୍ ପକ୍ଷରୁ ଜାରି ହୋଇଥିବା ଏହି ଚଢାଉରେ ରାଜା ଚକ୍ରଙ୍କ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଥିଲା । ଏଥିସହିତ ରାଜାଙ୍କ ୪୨ଟି ଦାମୀ ଗାଡି ଜବତ କରିବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ । ସେପଟେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜାଣିବା ପରେ ଏବେ ଏଥିରେ ରାଜାଙ୍କ ସହ ବିଜେଡି ନେତା ସାମିଲ ଥିବା ଅଭିଯୋଗରେ ଇଓଡବ୍ଲୁ ଖୋଳତାଡ଼ ଆରମ୍ଭ କରିଛି ।