
ଆଜିଠୁ ରାଜ୍ୟରେ ପୁଣି ବର୍ଷା । ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ l କାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଲଘୁଚାପ । ତେଣୁ ଏହା ପ୍ରଭାବରେ ଆଜିଠୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସହ ଆସନ୍ତା କାଲି ବଢିବ ବିସ୍ତୃତ୍ତି ।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଘଡଘଡି ବିଜୁଳି ସହ ବର୍ଷା ହେବା ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ପୁନଶ୍ଚ ଆସନ୍ତା କାଲିଠୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ମଧ୍ୟ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ମୟୁରଭଞ୍ଜ, ବାଲେଶ୍ବର, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି l ଏହାସହ ବଜ୍ରପାତ ହେବାର ସମ୍ଭାବନା ନେଇ ୧୭ ଟି ଜିଲ୍ଲାକୁ ସତର୍କତା ମଧ୍ୟ ଜାରି କରାଯାଇଛି ।
ଅନ୍ୟପଟେ ୩୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ତଥା ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର , ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ୩୦ ତାରିଖରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।