
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତଯୋଡ଼ା ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଁଚିଛି l ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲଗାନ୍ଧୀ ପୂଜାର୍ଚ୍ଚନା କରିଥିଲେ l ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ ରାହୁଲଗାନ୍ଧିଙ୍କୁ ବାରଣ କରାଯାଇଥିଲା l ମହାଶିବରାତ୍ରୀ ପାଇଁ ଗର୍ଭଗୃହରେ ବିଶେଷ କର୍ମକାର୍ଯ୍ୟ ଚାଲିଥିବାରୁ ଲୋକମାନଙ୍କୁ ସେଠାକୁ ଯିବାକୁ ବାରଣ କରାଯାଉଛି ।
ରାହୁଲ ଗାନ୍ଧୀଙ୍କ ସହ କମଲନାଥ ଓ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ l ତେବେ ରାହୁଲ ଗାନ୍ଧୀ ମନ୍ଦିର ଭିତରକୁ ଯାଉଥିବା ବେଳେ କେତେକ ଲୋକ ‘ମୋଦୀ ମୋଦୀ’ ସ୍ଲୋଗାନ ଲଗାଇଥିଲେ l ତେବେ ରାହୁଲ ଏହି ସ୍ଲୋଗାନ ଶୁଣି କୌଣସି ପ୍ରତିକ୍ରିୟା ଦେଇନଥିଲେ l
ଏହା ପୂର୍ବରୁ ମଙ୍ଗଳବାର ରାହୁଲଙ୍କ ଯାତ୍ରା ମଧ୍ୟପ୍ରଦେଶର ଶାଜାପୁର ସହର ଦେଇ ଯାଇଥିବା ବେଳେ କିଛି ଲୋକ ମୋଦୀ-ମୋଦୀ ସ୍ଲୋଗାନ ଦେଇଥିଲେ। ଏହା ପରେ ରାହୁଲ ତାଙ୍କ ଗାଡ଼ି ଅଟକାଇ ସ୍ଲୋଗାନ ଦେଇଥିବା ବିଜେପି କର୍ମୀଙ୍କୁ ଭେଟିଥିଲେ । ଏହି ସମୟରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ବିଜେପି କର୍ମୀଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଇବା ପରେ ଗାନ୍ଧି ନିଜ ଗାଡ଼ିକୁ ଫେରିଥିଲେ। ଏହାପରେ ରାହୁଲ ବିଜେପି କର୍ମୀଙ୍କୁ ଫ୍ଲାଇଙ୍ଗ୍ କିସ୍ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।