ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ପୁରୀ ଲୋକସଭା -ବିଧାନସଭା ଆସନ ଏବେ ରାଜ୍ୟରେ ଉଠୁଛି ପଡ଼ୁଛି । ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ମୋଦି –ସୋନିଆଙ୍କ ନାଁ ଚର୍ଚ୍ଚାରେ ଏବଂ ପୁରୀ ବିଧାନସଭାରୁ ନିର୍ବାଚନ ଲଢ଼ିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏଭଳି ଚର୍ଚ୍ଚା ଗତ କାଲିଠୁ ହେବାରେ ଲାଗିଛି । ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ,ବିଜେଡ଼ିର ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ର ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାର କାରଣ ।
୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ଏହା ମିଛ ପ୍ରମାଣିତ ହୋଇଥିଲା । ଶେଷ ମୁହୂର୍ତ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଲୋକସଭା ପ୍ରାର୍ଥୀ ହୋଇଥିଲେ ।
ସେପଟେ ବିଜେଡି ଗଡ଼ କୁହାଯାଉଥିବା ପୁରୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବି ବିଜେଡି ହାତରୁ ଖସି ଯାଇଥିଲା । ଦୁଇ ଆସନରେ ବିଜେପିର ବିଜୟ ହୋଇଥିଲା । ଗତ ସାଧାରଣ ନିର୍ବାଚନରେ ବିଜେପିର ଏହି ଚମତ୍କାରିତା ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇ ଦେଇଛି । ବିଜେପିକୁ ରୋକିବା ଲାଗି ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ାଇବ ବୋଲି ଚର୍ଚ୍ଚା ହେଉଛି । ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆମେ ଚାହୁଛୁ ଓ ପ୍ରସ୍ତାବ ବି ଦେଉଛୁ, ମୁଖ୍ୟମନ୍ତ୍ରୀ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ନ୍ତୁ । ମୁଖ୍ୟମନ୍ତ୍ରୀ ଲଢ଼ିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ । ପୁରୀରେ ଅନେକ ବିକାଶ କାମ ଚାଲିଛି । ଯେଉଁ କାମ ବାକି ରହିଯାଇଛି, ତାହା ସମ୍ପୂର୍ଣ୍ଣ ହୋଇପାରିବ ।
ଅନ୍ୟପଟେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଆମେ ଶୁଣିଛୁ, ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବେ । ପୁରୀବାସୀ ଏହାକୁ ସ୍ୱାଗତ କରୁଛନ୍ତି । ଏଠାରୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲଢ଼ିବା ଦରକାର । ଏହାଦ୍ୱାରା ବିଶ୍ୱ ଦରବାରେ ପୁରୀର ସମ୍ମାନ ଆହୁରି ବଢ଼ିଯିବ । ଆମ ଠାକୁର ବଡ଼ଠାକୁର, ବିଶ୍ୱପ୍ରସିଦ୍ଧ ଠାକୁର, ଏଠୁ ମୋଦୀ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି, ତେବେ ଆମେ ୭ରୁ ୭ ବିଧାନସଭା ସିଟ୍ରେ ଜିତିବୁ ।
ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି , ଜଗନ୍ନାଥଙ୍କ ସେବା କରିବା ପାଇଁ ସୋନିଆ ଗାନ୍ଧି ବେଷ୍ଟ, ଯଦି ପୁରୀ ଲୋକସଭାରୁ ସୋନିଆ ଲଢ଼ିବେ ତେବେ ବହୁତ ଭଲ ହେବ । ଆମେ ସୋନିଆ ଗାନ୍ଧିଙ୍କୁ ନିର୍ମନ୍ତ୍ରଣ କରିବୁ ପୁରୀ ଲୋକସଭାରୁ ନିର୍ବାଚନ ଲଢ଼ିବା ପାଇଁ । ଆଉ ଯଦି ଆଗାମୀ ନିର୍ବାଚନରେ ଓଡ଼ିଶାରୁ ନରେନ୍ଦ୍ର ମୋଦି ଓ ସେନିଆ ଗାନ୍ଧି ନିର୍ବାଚନ ଲଢ଼ନ୍ତି ତେବେ ରାଜ୍ୟ ରାଜନୀତିରେ ରୋଚକ ପରିସ୍ଥିତି ସୃଷ୍ଟି ହେବ ।