
ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ । ଆଉ ମାତ୍ର କିଛି ଦିନପରେ ହେବ ଭୋଟ । ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଇନ ଉପରେ ରୋଗ ଲଗାଇବାକୁ ସଫା ସଫା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହି ସମୟରେ ନିର୍ବାଚନ କମିଶରଙ୍କ ନିଯୁକ୍ତି ଉପରେ ରୋକ ଲଗାଇବା ଅର୍ଥ ‘ଅରାଜକତା ତଥା ବିଶୃଙ୍ଖଳା ସୃଷ୍ଟି କରିବା’ ସୁପ୍ରିମକୋର୍ଟ ତରଫରୁ ସୂଚନା ମିଳିଛି।
ନିକଟରେ ଦୁଇ ଜଣ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିଯୁକ୍ତି ହୋଇଥିଲା। ତେବେ ନିର୍ବାଚନ କମିଶନରଙ୍କ ଏହି ନଯୁକ୍ତି ପ୍ରକ୍ରିୟା ଓ ଆଇନ୍କୁ ନେଇ ଉଠିଥିଲା ଅନେକ ପ୍ରଶ୍ନ। ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ସାମିଲ ନ କରାଯିବାକୁ ନେଇ ଉଠିଥିଲା ବିବାଦ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା।
ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତାଙ୍କ ଦୁଇ ଜଣିଆ ଖଣ୍ଡପୀଠ ଆଜି ଏହି ଆବେଦନର ଶୁଣାଣି କରିଛନ୍ତି। ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ପାଇଁ ଥିବା ଆଇନ୍ ଉପରେ କୌଣସ ରୋକ ଲଗାଯାଇପାରିବ ନାହିଁ ବୋଲି ସେମାନେ କହିଛନ୍ତି। ସେ କହିଛନ୍ତି, ‘ ନିର୍ବାଚନ ଆୟୋଗ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧୀନରେ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ। କେନ୍ଦ୍ର ଦ୍ୱାରା ଯେଉଁ ଆଇନ ତିଆରି କରାଯାଇଛି ତାହା ଭୁଲ୍ ନୁହେଁ । ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ। ନିର୍ବାଚନ ପାଖେଇ ଆସିଲାଣି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ଥିତି ଉପରେ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଆବଶ୍ୟକ । ଏହି ପର୍ଯ୍ୟାୟରେ ଆସି ଏହି ଆଇନ ଉପରେ ରୋକ ଲଗାଇବା ଅର୍ଥ ବିଶୃଙ୍ଖଳା ସୃଷ୍ଟି କରିବା ହେବ‘ l ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ ଅବଧି) ବିଲ୍, ୨୦୨୩ ମସିହା ଅର୍ଥାତ ଗତ ବର୍ଷ ସଂସଦରେ ପାରିତ ହୋଇଥିଲା। ପରେ ରାଷ୍ଟ୍ରପତି ଏହାପରେ ମୋହର ମାରିଥିଲେ। ଏହି ନୂତନ ଆଇନରେ ନିର୍ବାଚନ କମିଶନର ଚୟନ କରିବାକୁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିରେ ଭାରତର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଙ୍କୁସାମିଲ କରା ଯାଇଥିଲା। ଏହି କମିଟିରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ, କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ସମେତ ଜଣେ ବିରୋଧୀ ଦଳର ନେତା ଅଛନ୍ତି।