
ଭୁବନେଶ୍ଵର: ରାଜରାସ୍ତାକୁ ଓହ୍ଲାଇବେ ଗୁରୁ । ଗର୍ଜିବେ ଶିକ୍ଷକ । ଆସନ୍ତା ଫେବ୍ରୁଆରୀ ୧୬ରେ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ । ଏନେଇ ଚେତାବନୀ ଦେଇଛନ୍ତି ପ୍ରାଥମିକ ସଂଘ । । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଏଥିସହ ରାଜ୍ୟର ନୂଆ ସରକାରଙ୍କ ଠାରୁ ସେମାନଙ୍କ ହକ୍ ପାଇବେ ବୋଲି ଆଶା ରଖିଥିବା କହିଛି ସଂଘ ।
ସୂଚନା ଅନୁସାରେ, ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଅଧିନିୟମକୁ ସରକାର ଏଯାବତ୍ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଲେଣି । ଶିକ୍ଷା ଅଧିକାର ଆଇନରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭିଭୂମିର ବିକାଶ କରୁନାହାନ୍ତି । ସେହିପରି, ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି ।
୨୦୨୨ରେ ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଇ ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ନ୍ୟାସନାଲ ଇନକ୍ରିମେଣ୍ଟ ଦେଇ ସେହି କର୍ମଚାରୀ ମାନଙ୍କୁ ନିୟମିତ କରାଯାଇଥିଲା। ୨୦୦୧ ମସିହାରୁ ନିଯୁକ୍ତପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଉପେକ୍ଷା କରାଗଲା । ପୂର୍ବରୁ ଶିକ୍ଷକଙ୍କ ବିଭିନ୍ନ ପ୍ରସଙ୍ଗ ଓ ଆନ୍ଦୋଳନକୁ ନେଇ ବିଧାନସଭା ଅଚଳ କରିଥିଲେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ସରକାର ଆସିବାର ୮ ମାସ ପରେ ବି ଦାବି କୁ ନେଇ କୌଣସି ସମାଧାନ ହୋଇନାହିଁ । ବିଭିନ୍ନ ଦାବିରେ ଆସନ୍ତା ୧୬ ତାରିଖରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।