
ନୂଆଦିଲ୍ଲୀ: ଆଇନ୍ରେ ପରିଣତ ହେଲା ୱକ୍ଫ ସଂଶୋଧିତ ବିଲ୍ । ୱକ୍ଫ ସଂଶୋଧିତ ବିଲ୍କୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ସଂସଦର ଉଭୟ ଗୃହରେ ବିଲ୍ ପାସ୍ ପରେ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ଏନେଇ ରାଜ୍ୟସଭାରେ ୧୭ ଘଣ୍ଟା, ଲୋକସଭାରେ ୧୩ ଘଣ୍ଟାର ବିତର୍କ ହୋଇଥିଲା ।
ରାଷ୍ଟ୍ରପତିଙ୍କ ମଞ୍ଜୁରି ସହ ୱକଫ ସଂକ୍ରାନ୍ତ ନୂଆ ଆଇନ ଅସ୍ତିତ୍ବକୁ ଆସିଛି । ଏ ନେଇ ନୂଆ ଆଇନର ଗେଜେଟ ପ୍ରକାଶ ପାଇଛି । ନୂଆ ଆଇନକୁ କଂଗ୍ରେସ ସମେତ କିଛି ଦଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବିଭିନ୍ନ ରାଜ୍ୟରେ ମୁସଲିମ ସଂଗଠନ ମାନେ ବିରୋଧ ଜାରି ରଖିଛନ୍ତି । ନୂଆ ଆଇନ ଦ୍ବାରା ୱକଫରେ ପକ୍ଷପାତିତା, ୱକଫ ସମ୍ପତ୍ତିର ଅପବ୍ୟବହାର ଓ ଜବରଦଖଲକୁ ରୋକିବା ସମ୍ଭବ ହୋଇପାରିବ ବୋଲି ସରକାର ଯୁକ୍ତି ବାଢିଛନ୍ତି । ଏବେ ନୂଆ ୱକଫ ଆଇନକୁ ସାରା ଦେଶରେ ଲାଗୁ କରାଯିବ । ଏ ବାବଦ ପରବର୍ତ୍ତୀ ପ୍ରକ୍ରିୟା ସେହି ଆଧାରରେ ହେବ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁୟାୟୀ ଏହି ଆଇନକୁ ଏବେ ୱକଫ ସଂଶୋଧନ ଆଇନ ୨୦୨୫ କୁହାଯିବ । ୱକଫ ଶଦ୍ଦ ବିଦଳରେ ଉମ୍ମିଦ ବା ଏକୀକୃତ ୱକଫ ପରିଚାଳନା, ସଶକ୍ତିକରଣ, ଦକ୍ଷତା ଓ ବିକାଶ ବ୍ୟବହାର ହେବ ।
ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ’ବୋର୍ଡ (ଏଆଇଏମପିଏଲବି) ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ତୁରନ୍ତ ବୈଠକ କରି ଏହି ଆଇନକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ଲୋକସଭାରେ ୱାକଫ ସଂଶୋଧନ ବିଲ୍ ସପକ୍ଷରେ ୨୮୮ ଭୋଟ୍ ଏବଂ ଏହା ବିରୋଧରେ ୨୩୨ ଭୋଟ୍ ଦିଆଯାଇଛି। ଏଥି ସହିତ ରାଜ୍ୟସଭାରେ ୧୨୮ ଟି ଭୋଟ୍ ବିଲ୍ ସପକ୍ଷରେ ଏବଂ ୯୫ଟି ଭୋଟ୍ ଦିଆଯାଇଥିଲା। ରାଜ୍ୟସଭାରେ ବିରୋଧୀ ଦଳ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ ଭଏସ୍ ଭୋଟ୍ ଦ୍ୱାରା ପରାସ୍ତ ହୋଇଥିଲା।
ସେପଟେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ (AIMPLB) ଶନିବାର (୫ ଏପ୍ରିଲ୍, ୨୦୨୫) ଏହି ବିଲ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲା । AIMPLB ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ବିଜୟୱାଡା, ମଲାପ୍ପୁରମ, ପାଟନା, ରାଞ୍ଚି, ମାଲେରକୋଟଲା ଏବଂ ଲକ୍ଷ୍ନୌରେ ବିଶାଳ ପ୍ରତିବାଦ କରିଥିଲା ।