ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୨ ଜୁଲାଇ ମାସରୁ ଭାରତର ରାଷ୍ଟ୍ରପତି ପଦ ଅଧିକୃତ କରିଥିଲେ l ତେବେ ତାଙ୍କର ରାଷ୍ଟ୍ରପତି ହେବାର ପ୍ରାୟ ଦେଢ଼ ବର୍ଷ ପରେ ସେ ଆଜି ପ୍ରଥମ ଥର ପାଇଁ କାଶ୍ମୀର ଗସ୍ତ କରୁଛନ୍ତି । ସେଠାରେ ସେ କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ।
ସୂଚନାନୁସାରେ, ଶ୍ରୀନଗରର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ସେଠାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ସେ କାଶ୍ମୀର ବିଶ୍ୱବିଦ୍ୟାଳୟକୁ ଯିବେ। ସେ ବାଦାମୀ ବାଗରେ ସେନାର ୧୫ ତମ କର୍ପସର ମୁଖ୍ୟାଳୟ ପରିଦର୍ଶନ କରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ତାଙ୍କୁ ସେନା କମାଣ୍ଡରମାନେ ଜାମ୍ମୁ କାଶ୍ମୀରର ତଥା ବିଶେଷ କରି ଉପତ୍ୟକାର ପରିସ୍ଥିତି ବିଷୟରେ ସୂଚନା ଦେବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କାଶ୍ମୀର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ବିଶ୍ୱବିଦ୍ୟାଳୟର ୨୦୨୦ର ମେଧାବୀ ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରିବେ । ସମାବର୍ତ୍ତନ ଉତ୍ସବରେ ୪୦୦ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ପିଏଚଡି ଓ ଏମଫିଲ୍ ଡିଗ୍ରୀ ପ୍ରଦାନ କରାଯିବ । ଏଥି ସହିତ ଶ୍ରୀନଗରର ଡାଲ୍ ହ୍ରଦରେ ଏକ ଲାଇଟ୍ ଆଣ୍ଡ ସାଉଣ୍ଡ ସୋରେ ମଧ୍ୟ ଯୋଗଦେବେ ରାଷ୍ଟ୍ରପତି । ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ରାତ୍ରଭୋଜନ ଦେବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କାଶ୍ମୀର ଉପତ୍ୟକାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମାବର୍ତ୍ତନ ଉତ୍ସବରେ ଯେଉଁମାନେ ରହିବେ ସେମାନଙ୍କ ପ୍ରୋଫାଇଲର ଗୁଇନ୍ଦା ସମୀକ୍ଷା କରାଯାଇଛି । ଶ୍ରୀନଗର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି l ଗତ ସୋମବାର ଠାରୁ ସହରକୁ ପ୍ରବେଶ କରୁଥିବା ରାସ୍ତାରେ ବିଭିନ୍ନ ସ୍ଥାନରେ ଅବରୋଧ ଲଗାଯାଇଛି ।