ପୁରୀ: ରାତି ପାହିଲେ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଲୋକନାଥଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ପ୍ରଭୁଙ୍କ ଦର୍ଶନଙ୍କ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ମଧ୍ୟ ହେବ । ଖାସ୍ ସେଥିଲାଗି ପୁରୀ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।
ବର୍ଷକେ ମଧ୍ୟରେ ଏହି ଗୋଟିଏ ଦିନ ପଙ୍କୋଧାର ଏକାଦଶୀରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଠାକୁର । ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀଲୋକନାଥଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଙ୍କ ମନ୍ଦିରରେ ଏଭଳି ପରମ୍ପରା ସାରା ଦେଶରେ ନିଆରା ।
ପଙ୍କୋଦ୍ଧାର ଏକାଦଶୀ ଉପଲକ୍ଷେ ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଆରକ୍ଷୀ ଏସପି, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକ୍ଟର, ୪୧ ଜଣ ଏସଆଇ ଓ ଏଏସଆଇ, ୭୨ ଜଣ ହାବିଲଦାର, କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଏଥିସହ ମନ୍ଦିର ଭିତରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପୁରୀ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

