ନୂଆଦିଲ୍ଲୀ: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରଲୋକ । ୮୮ ବର୍ଷ ବୟସରେ ଭାଟିକାନ୍ ସିଟିରେ ତାଙ୍କର ବିୟୋଗ ହୋଇଛି । ଗତ କିଛି ଦିନ ହେଲା ପୋପ୍ ବ୍ରୋଙ୍କାଇଟିସରେ ପୀଡ଼ିତ ଥିବା ସୂଚନା ମିଳିଛି । ତେବେ ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ପରେ ତାଙ୍କର ବିୟୋଗ ହୋଇଛି।
ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ପରେ ପୋପ୍ ହୋଇଥିଲେ ଫ୍ରାନସିସ୍ । ୨୦୧୩ରେ ସେ ଦାୟିତ୍ଵ ନେଇଥିଲେ ଏବଂ ୧୨ ବର୍ଷ ଧରି ପୋପ୍ ଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଫ୍ରାନ୍ସିସ ଥିଲେ। ପୋପ୍ ଫ୍ରାନ୍ସିସ୍ ଗୋଟେ ଦିନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସଙ୍କ ସହିତ ସାକ୍ଷାତ କରିଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଦୁନିଆର ଖ୍ରୀଷ୍ଟଧର୍ମାବଲମ୍ବୀ ଶୋକରେ ବୁଡିଛନ୍ତି ।
ଗତ କିଛିଦିନ ତଳେ ବ୍ରୋଙ୍କାଇଟିସରେ ପୀଡିତ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କର ଉଭୟ ଫୁସଫୁସ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।