ଭୋପାଳ: ଆମେ ଯାହାକୁ ଅଳିଆ କହି ଫିଙ୍ଗିଦେଉ ତାହାକୁ ସମ୍ପଦରେ ପରିଣତ କରିଛନ୍ତି ଜଣେ ଯୁବତୀ ଜୈବବିଜ୍ଞାନୀ । ଏହାକୁ ଜୀବିକା କରି ସେ ବେଶ ନାଁ କମାଉଥିବା ବେଳେ ଅନ୍ୟ ମହିଳା ମାନଙ୍କୁ କାମ ଦେଇ ପାଲଟିଛନ୍ତି ପ୍ରେରଣା । ମଧ୍ୟପ୍ରଦେଶର ଭୋପାଳରେ ରହନ୍ତି ଜୈବ ପ୍ରଯୁକ୍ତି ଗବେଷକ ପୂଜା ଦୁବେ । ପୂଜାଙ୍କର ବେଟି ନାମରେ ଏକ କମ୍ପାନୀ ରହିଛି ଯିଏକି ଏକାଧିକ ପ୍ରଜାତିର ଛତୁ ଅମଳ ସହିତ ବ୍ୟବହୃତ ପାଳକୁଟା କୁ ପୁନଃ ବିନିଯୋଗ କରି ପ୍ୟାକେଜିଙ୍ଗ ମ୍ୟାଟେରିଆଲ ପ୍ରସ୍ତୁତ କରିଥାନ୍ତି ।
ବାଇଓ ଟେକ୍ନୋଲୋଜିରେ ସ୍ନାତ୍ତକୋତ୍ତର ଶିକ୍ଷା ଶେଷ କରିବା ପରେ ପୂଜା ଏକ ଘରୋଇ କମ୍ପାନୀରେ ନିଯୁକ୍ତି ପାଇଥିଲେ । ଗବେଷକ ଭାବେ ଦିନ ଦିନ ଧରି ଲାଵ ରେ ଵିତୁଥିଲା ତାଙ୍କର ସମୟ । ବିଜ୍ଞାନାଗାରର ଗବେଷଣା ଲୋକଙ୍କ ନିକଟରେ ବ୍ୟବହାର ପାଇଁ ଲମ୍ବା ସମୟ ଲାଗୁଥିବାରୁ ପୂଜା ନିଜ କାମକୁ ନେଇ ସନ୍ତୁଷ୍ଟ ନ ଥିଲେ । କିଛି ଗୋଟାଏ କରିବା ପାଇଁ ପୂଜା ଚାକିରୀ ଛାଡିଲେ ଓ ନିଜ ଘରେ ଆରମ୍ଭ କଲେ ଛତୁ ଉତ୍ପାଦନ । ଛତୁ ଗୁଡିକୁ ବଜାରକୁ ପଠାଇବା ପାଇଁ ଥରମୋକୁଲ ବ୍ୟବହାର ହେଉଥିଲା । ଏହାର ବିକଳ୍ପ ପାଇଁ ଚିନ୍ତା କରୁଥିବା ବେଳେ ପୂଜା ନିଜ ଜୈବ ପ୍ରଯୁକ୍ତି ପାଠକୁ ମନେପକାଇଲେ ଓ ଆରମ୍ଭ କଲେ ଛତୁ ଶଯ୍ୟାରେ ବ୍ୟବହାର ହୋଇ ସାରିଥିବା ନଡା କୁଟା । ନଡା ଗୁଡିକ ପାଣିରେ ଭିଜାଇ ସେଥିରୁ ମଣ୍ଡ ବାହାର କରି ସେଥିରୁ ମେସିନ ସାହାଯ୍ୟରେ ପୂଜା ତିଆରି କଲେ ଭଳିକି ଭଳି ପ୍ୟାକେଜିଂ ଉପକରଣ । ଏହା ପୂର୍ବର ଥରମୋକୁଲ ତୁଳନାରେ ଶସ୍ତା ଓ ପ୍ରକୃତି ତଥା ପରିବେଶ ଅନୁକୂଳ ଥିଲା ।
ପୂଜା ଦୁବେଙ୍କ ବାଓଟେକ ଏରା ଟ୍ରାନ୍ସଫରମିଙ୍ଗ ଇଣ୍ଡିଆ (ବେଟି) ଏବେ ଛତୁ ପାଉଡର ଓ ମ୍ୟାଜିକ ମସଲା ଉତ୍ପାଦନ ସହିତ ଜୈବ ବିଘଟନଶୀଳ ପ୍ୟାକେଜିଂ ସାମଗ୍ରୀ ପ୍ରସ୍ତୁତ କରି ଖ୍ୟାତି ଓ ଅର୍ଥ ଠୁଳ କରିବାରେ ଲାଗିଛି । ପୂଜାଙ୍କ ଏଭଳି ଉଦ୍ୟୋଗ ଅନେକଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ ।