 
        ନୂଆଦିଲ୍ଲୀ: ଥରକୁ ଥର ବଦଳୁଛି ସରକାରଙ୍କ ନିୟମ । ପୂର୍ବରୁ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ ହୋଇଥିବା ବେଳେ ଏବେ ଭୋଟର କାର୍ଡ ସହ ମଧ୍ୟ ଆଧାର କାର୍ଡକୁ ଲିଙ୍କ୍ କରାଯିବ । ଏଥିପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମାର୍ଚ୍ଚ ୧୮ରେ ଗୃହ ସଚିବ, ଆଇନ ସଚିବ ଏବଂ ଆଧାର କାର୍ଡ ଜାରି କରୁଥିବା ସଂସ୍ଥା, ଭାରତୀୟ ସୱତନ୍ତ୍ର ପରିଚୟ ପ୍ରାଧିକରଣର ସିଇଓଙ୍କୁ ଭେଟିବେ। ଏହି ବୈଠକରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ରକୁ ଲିଙ୍କ କରିବା ଉପରେ ଆଲୋଚନା ହେବ। ତେବେ ଏହା ପ୍ରଥମ ଥର ପାଇଁ ର୍ନିବାଚନ କମିଶନ ଡୁପ୍ଲିକେଟ EPIC ନମ୍ବର ସମ୍ପର୍କରେ ଏପରି ବୈଠକ କରୁଛନ୍ତି।
ଦେଶର ସମସ୍ତ ଜିଲା ର୍ନିବାଚନ ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ କରିବାକୁ ମଧ୍ୟ କୁହାଯାଇଛି। ପ୍ରାୟ 800 ଜିଲ୍ଲାରେ ରାଜନୈତିକ ଦଳଗୁଡ଼ିକ ସହିତ 5000 ରୁ ଅଧିକ ବୈଠକ କରାଯିବ, ଯାହାର ରିପୋର୍ଟ ମାର୍ଚ୍ଚ 31 ସୁଦ୍ଧା ର୍ନିବାଚନ କମିଶନରଙ୍କୁ ପ୍ରଦାନ କରାଯିବ। ପୂର୍ବରୁ, ତୃଣମୂଳ କଂଗ୍ରେସ ଡୁପ୍ଲିକେଟ EPIC ନମ୍ବର ପ୍ରସଙ୍ଗ ଉଠାଇଥିଲା, ଯାହାକୁ ଅନ୍ୟ ଅନେକ ରାଜନୈତିକ ଦଳ ମଧ୍ୟ ଉଠାଇଥିଲେ । ଏହା ପରେ, ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ମଧ୍ୟ କମିଶନଙ୍କୁ ଭେଟିଥିଲେ। ବିଜେପି, କଂଗ୍ରେସ ଏବଂ ଆପ ସମେତ ଅନେକ ଦଳ ଭୋଟର ତାଲିକାରେ ଜାଲିଆତି ଏବଂ ନକଲି ଭୋଟର ପ୍ରସଙ୍ଗ ଉଠାଇଛନ୍ତି।
 
         
         
        